ନାଟ୍ୟପୁରୁଷ ତଥା ସାହିତ୍ୟ ସାଧକ ହରିହର ମିଶ୍ରଙ୍କୁ ସୃଜନୀ ପରିବାର ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଅବସରପ୍ରାପ୍ତ ଅଧ୍ୟକ୍ଷ,ଓଡିଆ ଭାଷା ସାହିତ୍ୟର ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସାରସ୍ୱତ ସାଧକ,ନାଟ୍ୟକାର,ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି (ଦିବଂଗତ) ହରିହର ମିଶ୍ରଙ୍କୁ ସମର୍ପିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସୃଜନୀ ଅନୁକୁଲ୍ୟରେ ଆଭାସୀ ମାଧ୍ୟମରେ  ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରାକ୍ତନ) ତଥା କେନ୍ଦ୍ର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ସାଧକ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ଼. ପ୍ରେମାନନ୍ଦ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୀ ଓ ଅନୁବାଦିକା ମମତା ଦାଶ ଏବଂ ପ୍ରବାସିନୀ ମହାକୁଡ ତିୱାରୀ ଆଦି ନିଜ ବକ୍ତବ୍ୟ ମାଧ୍ୟମରେ ଓଡ଼ିଆ ନାଟ୍ୟ ଜଗତ ତଥା ସାହିତ୍ୟ ଜଗତକୁ ନାଟ୍ୟପୁରୁଷ ପ୍ରାଜ୍ଞ ହରିହର ମିଶ୍ରଙ୍କ ଅବଦାନ ପ୍ରସଙ୍ଗରେରେ ନିଜସ୍ୱ  ଅଭିମତ ସହ ସ୍ମୃତି-ଶ୍ରଦ୍ଧାଞ୍ଜଳି  ପ୍ରଦାନ କରିଥିଲେ।


ଚଳଚ୍ଚିତ୍ର ତଥା ପ୍ରସାରଭାରତୀର ସ୍ୱନାମଧନ୍ୟ ବରିଷ୍ଠ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସାହିତ୍ୟିକ, ଗବେଷକ ତଥା ଶିକ୍ଷାବିତ୍  ଡ଼କ୍ଟର କୈଳାଶ ବାଣ୍ଠ , ଡ଼କ୍ଟର କମଳାକୃଷ୍ଣ ତ୍ରିପାଠୀ, ସମଦୃଷ୍ଟି ପତ୍ରିକାର ସହସମ୍ପାଦକ ବିଘ୍ନେଶ୍ଵର ସାହୁ ଆଦି ହରିହର ମିଶ୍ରଙ୍କ ବ୍ୟକ୍ତିତ୍ୱ ସହ ତାଙ୍କ ସାରସ୍ୱତ ସୃଷ୍ଟିକୁ ମୁଖ୍ୟ ପ୍ରସଙ୍ଗ କରି ଦିଗନ୍ତ ପ୍ରସାରି ଆଲୋଚନା କରିବା ସହ ଓଡ଼ିଆ ସାହିତ୍ୟ, ସଂଗୀତ ତଥା ବିଶ୍ୱ ସମୁଦାୟକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ।

ସାହିତ୍ୟ ସାଧକ ତଥା ନାଟ୍ୟପୁରୁଷ ହରିହର ମିଶ୍ର ତାଙ୍କ ଜୀବନ କାଳରେ ନିନ୍ଦିତ ଗଜପତି (୧୯୭୬), ରାତିର ଦୁଇଟି ଡେଣା (୧୯୭୪), ହଂସଧ୍ୱନୀ (୧୯୭୮) ଆଦି ବହୁ ପ୍ରଶଂସିତ ନାଟକ ସହ  ସ୍ୱରବର୍ଣ୍ଣ (ଗୀତି କବିତା-୧୯୯୯) ଶଙ୍ଖନାଭି ଓ ଅନ୍ୟାନ୍ୟ କବିତା (୨୦୦୨) ସଂକଳନ ଯାହା କି ଓଡ଼ିଆ ଜନମାନସରେ ଆଦୃତ ହୋଇଥିବା ସହ  ଆତ୍ମପ୍ରଚାର ବିମୁଖ ଏହି ସାରସ୍ୱତ ସାଧକ ସୃଷ୍ଟି କରିଛନ୍ତି ନିଜସ୍ୱ ସାରସ୍ୱତ ତଥା ନାଟ୍ୟ ସାମ୍ରାଜ୍ୟ ଯାହାକି ବହୁ କଳାକାରଙ୍କୁ ଦେଇପାରିଛି ଅନେକ ପ୍ରତିଷ୍ଠା ସହ ମାନସମ୍ମାନ ଏବଂ ସାହିତ୍ୟ ଅନୁରାଗୀଙ୍କୁ ଦେଇପାରିଛି ନୂତନ ଦିଗନ୍ତ।

ଉକ୍ତ ଆଭାସୀ ସଭାରେ ମିଶ୍ର ମହୋଦୟଙ୍କ ପରିବାରର ସମସ୍ତ ପରିବାର ବର୍ଗ ଧର୍ମପତ୍ନୀ ରାଜଲକ୍ଷ୍ମୀ  ମିଶ୍ର, ପୁତ୍ର ରୁପକଳ୍ପ ମିଶ୍ର, ଦୁହିତା ରୀତିମୁକ୍ତା ରାଜଗୁରୁ, ବର୍ଣ୍ଣମାଳା ଦାଶ ଏବଂ ମୋନାଲିସା ମିଶ୍ର ସହ ଅନ୍ୟାନ୍ୟ ବନ୍ଧୁ  ପରିଷଦ ଆଦି ଉପସ୍ଥିତ ରହି ଦିବଂଗତ ମିଶ୍ରଙ୍କ ଉଦ୍ଦେଶ୍ୟରେ ନିଜର ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  

ସୃଜନୀ ପରିବାରର ସଂପାଦକ ଅଶୋକ ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସୃଜନୀ ପରିବାରର   ସମସ୍ତ ଉପଦେଷ୍ଟା ମଣ୍ଡଳୀ ଆଶୁତୋଷ ସାମନ୍ତସିଂହାର (ଆଇଏଫ୍ଏସ୍ – ଅବସରପ୍ରାପ୍ତ), ପ୍ରଫେସର୍ ଗୋଦାବରୀଶ ମିଶ୍ର, ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଏବଂ କାର୍ଯ୍ୟକ୍ରମ ସଂଚାଳକ ଇଂ.ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା। ସଂଯୋଜିକା ସୁମତି ମୁଣ୍ଡ, ପ୍ରସାରଭାରତୀର କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଇଂ ଶଶୀକାନ୍ତ ରାଜଗୁରୁ ଆଦି ନିଜ ଶବ୍ଦ ଓ ସ୍ୱର ମାଧ୍ୟମରେ ହରିହର  ମହୋଦୟଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସୃଜନୀର  ସମ୍ପାଦକ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ ହରିହର ମିଶ୍ରଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖିପାରିବ ଏହି ମତ ସହ ସଭାସାଙ୍ଗ ହୋଇଥିଲା।

Related posts