“ଯେଉଁଠି ନାଟକ ହେଇଯାଏ ଜୀବନ ଆଉ ଜୀବନ ହେଇଯାଏ ନାଟକ”
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ଗୋପାଳପୁର ବଜାରରେ ଅବସ୍ଥାପିତ ପ୍ରିୟଦର୍ଶିନୀ ସାଂସ୍କୃତିକ କ୍ଲବ ପରିସରରେ ଗତ ଅକ୍ଟୋବର ୩, ରବିବାର ଦିନ ଗୋପାଳପୁର ଗ୍ରାମରେ ଜନ୍ମିତ ବିଶିଷ୍ଟ ମଞ୍ଚ ମଣିଷ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ଅମୂଲ୍ୟ ସ୍ୱାଇଁଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରିୟଦର୍ଶିନୀ ସାଂସ୍କୃତିକ ସଂସଦର ସଭାପତି ଅଜୟ କୁମାର ଭଞ୍ଜଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ରଣପୁର ତଥା ନୟାଗଡ଼ ଜିଲ୍ଲାରେ ମଞ୍ଚ ନାଟକ ଜଗତର ଜଣେ ଅଦ୍ୱିତୀୟ ସ୍ରଷ୍ଟା ଭାବେ ପରିଚିତ ସ୍ୱର୍ଗତ ସ୍ୱାଇଁ ନାଟକକୁ ନେଇ ଅନେକ ଗବେଷଣା କରି ନାଟ୍ୟ ଜଗତକୁ ନୂଆ ଦିଶା ଦେଇଥିବା ବ୍ୟକ୍ତି ଯାହାଙ୍କ ମତରେ ” ଯେଉଁଠି ଜୀବନ ହେଇଯାଏ ନାଟକ ଓ ନାଟକ ହେଇଯାଏ ଜୀବନ”। ସେ କେବଳ ଗୋପାଳପୁର ମାଟିର ଗର୍ବ ନୁହଁନ୍ତି, ସମଗ୍ର ଓଡ଼ିଶା ନାଟ୍ୟ ଜଗତର ଆଗ ଧାଡିର ଅପ୍ରତିଦ୍ଵନ୍ଦୀ ନାଟ୍ୟ ନିର୍ଦ୍ଦେଶକ ଥିଲେ। ଓଡ଼ିଶାର ନାଟ୍ୟ ଜଗତକୁ ‘ନିଷ୍ପାପ ବିଲୟ’, ‘ଜହ୍ନ ଆଲୁଅର ଛାଇ’, ‘ରଣ ତୀର୍ଥର ସହିଦ’, ‘ଧୃତରାଷ୍ଟ୍ର ଉବାଚ’ ପରି କାଳଜୟୀ ନାଟକ ଭେଟି ଦେଇ ନାଟ୍ୟ ଜଗତକୁ ସମୃଦ୍ଧ କରି ଯାଇଛନ୍ତି। ଏଇ ଶ୍ରଦ୍ଧାଞ୍ଜଳୀ ସଭାରେ ସାମୁହିକ ଦୀପ ଦାନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବିବେକାନନ୍ଦ ଭଞ୍ଜ,ଦୀପକ କୁମାର ସାହୁ, ଦିପ୍ତିକାନ୍ତ ମହାପାତ୍ର,ଜ୍ୟୋତିରଂଜନ ଦାସ,ରବୀନ୍ଦ୍ର କୁମାର ମହାପାତ୍ର,ସନ୍ତୋଷ ଭଞ୍ଜ, ଲିଟୁ ସ୍ୱାଇଁ,ମନୋରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ। ପରେ ସଂଧ୍ୟା ଭିତ୍ତିକ ସଙ୍ଗୀତ କାର୍ଯ୍ୟକ୍ରମ ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ ମିଶ୍ରଙ୍କ “ସଙ୍ଗୀତ ସନ୍ଧ୍ୟା” ପରିବେଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରସାଦ ସାମନ୍ତ ଓ ରୁଦ୍ର ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ।