ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ନୟାଗଡ଼ ତରଫରୁ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ, ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ୩ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗତ ତା୦୪.୧୧.୨୦୨୪ରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ଯୋଗଦେଇ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୧୦୦ ଏବଂ ୨୦୦ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, କ୍ୟାରମ, ଚେସ୍ ଆଦି ପ୍ରତିଯୋଗିତା ନୟାଗଡ଼ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ହୋଇଥିଲା ।
ସେହିପରି ତା.୦୫.୧୧.୨୦୨୪ରିଖ ଦିନ ରୋଟାରୀ କ୍ଲବ, ନୟାଗଡ଼ ଠାରେ ପ୍ରତିଯୋଗୀମାନେ କୁଇଜ୍, ତର୍କ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅଂଜଳି ମାଛଖଣ୍ଡ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଅର୍ଚ୍ଚନା କହଁର, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ୍ ପ୍ରଧାନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା, ଚାଇଲଡ୍ ଲାଇନର କର୍ମକର୍ତ୍ତା ଓ ଶିଶୁ ଯନ୍ତ୍ର ଅନୁଷ୍ଠାନର କର୍ମକର୍ତ୍ତାମାନେ ମିଳିତ ଭାବେ ପରିଚାଳନା କରିଥିଲେ । ପ୍ରତିଯୋଗିତରେ କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ସମ୍ମାନ ଆଣିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।