ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାଜ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରି ଶ୍ରୀ ପବନ କୁମାର ବେହେରା ସଚେତନତାର ଆଭିମୁଖ୍ୟ ଏବଂ ଆବଶ୍ୟକତା ବୁଝାଇଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ ଉପରେ ଗୁରୁତ୍ବାରୋପ କରିବା ସହିତ ଛାତ୍ରଛାତ୍ରୀ ମାନେ କିପରି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ନିଜର ଲକ୍ଷ୍ୟ ହାସଲ କରିପାରିବେ, ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ ।
ଶିକ୍ଷା ଅଧିକାର ଆଇନ ଓ ଛାତ୍ର ସମାଜର ଅଧିକାର ଓ ସୁରକ୍ଷା ଉପରେ ଦୃଷ୍ଟାନ୍ତ ମୂଳକ ଭାବେ ବର୍ଣ୍ଣନା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ବିଭିନ୍ନତାରେ ଭାରତର ଏକତା ଏବଂ ମହାନତା ସହିତ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବ୍ୟାଖ୍ୟା କରିଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଧାରା ଓ ଉପଯୋଗୀତା ଉପରେ ଆଲୋକପାତ କରିବା ସହିତ ଯାହାର କେହି ନାହାନ୍ତି ତା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରହିଛି ବୋଲି ଦର୍ଶାଇଥିଲେ । ବିଦ୍ୟାଳୟର ଅଧକ୍ଷ୍ୟ ଶ୍ରୀ ପ୍ରେମଚାନ୍ଦ ଅନୁଶୀଳନ ଏବଂ ଅନୁଶାସନରେ ବିଚାରବିଭାଗ ଏବଂ ଆଇନ ସେବାର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ପ୍ରାଧିକରଣ କର୍ମଚାରି ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ରାଜେଶ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଉପାଧକ୍ଷ୍ୟ ଶ୍ରୀ ନବ କିଶୋର ସେଠୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।