ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ ପି ସିଦ୍ଧାର୍ଥ ରତ୍ନ, ସୁଶାନ୍ତ କୁମାର ନାୟକ, ଶଶି ଭୂଷଣ ପ୍ରଧାନ, ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳର ପ୍ରକୃତ ପରିଭାଷା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିକାଶାତ୍ମକ ମନୋବୃତ୍ତି, ବର୍ଣ୍ଣାଳୀ, ଶିଶୁ ସୁରକ୍ଷା, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା, ଅନ୍ତର୍ନିବେଶୀ ଶିକ୍ଷା, ବସ୍ତାନିବିହୀନ ପାଠପଢ଼ା ଆଦି ଉପରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଖଣ୍ଡୁଗାଁ ଅପଗ୍ରେଟେଡ ହାଇସ୍କୁଲର ଶିକ୍ଷୟତ୍ରୀ ତଥା ଷ୍ଟେଟ୍ ରିସୋର୍ଷ ପର୍ସନ ପ୍ରଭାତୀ ମିଶ୍ର, ସାମାଜିକ ଲିଙ୍ଗଭିତ୍ତିକ ଏକତା ପାଇଁ ଏକ ପ୍ରୟାସ ହେଉଛି ବର୍ଣ୍ଣାଳୀ ବୋଲି କହିଥିଲେ। ତତ୍ ସହିତ ବିଦ୍ୟାଳୟରେ ଲିଙ୍ଗଗତ ଭେଦଭାବ ଶୂନ୍ୟତା ପରିବେଶ କିପରି ସୃଷ୍ଟି କରାଯିବ, ବେଟି ବଚାଓ ବେଟି ପଢ଼ାଓ, ସାମାଜିକ ଲିଙ୍ଗଭିତିକ ଭେଦଭାବ, ସମତା ଓ ସମାନତା ଆଦି ବର୍ଣ୍ଣାଳୀ ଉପରେ ବିସ୍ତୃତ ଭାବେ କହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଦୀପ୍ତିମୟୀ ପ୍ରିୟଦର୍ଶିନୀ ତାଲିମ ଶିବିର ପରିଦର୍ଶନ କରି ସହ ଏଫ୍ ଏଲ ଏନ୍ ଉପରେ ଗୁରୁତ୍ୱାରୋପ କରିବା ସହ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ସ୍ତର ବୃଦ୍ଧି ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରଚେଷ୍ଠା ଜାରୀ ରଖିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରିଣୀଙ୍କ ପରିଦର୍ଶନ ସମୟରେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସି ଆର୍ ସି ସି କୈଳାଶ ନାୟକ, ଶ୍ରୀନିବାସ ରଥ, ପ୍ରସନ୍ନ ବେହେରା, ନୀମେଇ ଚରଣ ସାହୁ।ସେହିପରି ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଏବଂ ରାକେଶ କୁମାର ଘଡେ଼ଇଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧରେ, ୧୧୦ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେଇଥିଲେ।
ନୂଆଗାଁ ବ୍ଲକରେ ୧୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ନେଲେ ତାଲିମ
