ଅକ୍ଟୋବର ୬ରେ ଓଡ଼ଗାଁରେ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ତାରିଖରେ ଅନୁଷ୍ଠିତ ହେବ। ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରିପାରିବେ। ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।  ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ କ୍ରମାନ୍ୱୟେ ୫ହଜାର ଏବଂ ୩ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛି। ସଙ୍ଗୀତଧାରା ପକ୍ଷରୁ ଓଡ଼ଗାଁ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁ, ସଦସ୍ୟ ଅଶୋକ କୁମାର ମଲ୍ଲ ଏବଂ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ସଂଯୋଜକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts