ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାରପଲ୍ଲୀ ଗ୍ରାମର ନଟବର ସେନାପତିଙ୍କ ପୁଅ ଭଗବାନ ସେନାପତି (୫୭) ନିଜ ସ୍ତ୍ରୀ, ଦୁଇ ପୁଅଙ୍କ ସହ ଦିନ ମଜୁରିଆ ଏବଂ କିଛି ଚାଷ କରି ପରିବାର ପୋଷଣ କରିଥାନ୍ତି। ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ଭଗବାନ ସେନାପତି ଆଖୁ କିଆରିକୁ ଯାଇଥିବା ବେଳେ ଜଙ୍ଗଲରୁ ଆସିଥିବା ବାରହା ହଠାତ୍ ଭଗବାନଙ୍କୁ ଆକ୍ରମଣ କରିଥିଲା। ଭଗବାନ ତଳେ ପଡିଯିବାରୁ ଭଗବାନଙ୍କ ଗୋଡ଼କୁ ବାରହା କାମୁଡି ଚାଲିଥିଲା। ଭଗବାନ ଜୀବନ ବିକଳରେ ଚିତ୍କାର କରିବା ଦ୍ଵାରା ଗ୍ରାମର କିଛି ଲୋକ ଶବ୍ଦ ଶୁଣି ବିଲକୁ ଧାଇଁ ଆସିବା ଦ୍ଵାରା ବାରହାଟି ଚାଲିଯାଇଥିଲା।ସେଠାରୁ ଭଗବାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ଗାଡି ଭଡ଼ା କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଗୁରୁତର ଭଗବାନଙ୍କୁ ଚିକିତ୍ସା କରାଯାଇଥିଲା। ତେବେ ଭଗବାନଙ୍କ ଗୋଡ଼ ଏବଂ ଜଂଘ ଗୁରୁତର ଆଘାତ ହୋଇଥିବାରୁ ସେ କିଛି ମାସ କୌଣସି କାର୍ଯ୍ୟ କରିପାରିବେ ନାହିଁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ପରିବାର ପୋଷଣ କିପରି ହେବ ତାହା ଭଗବାନଙ୍କୁ ଚିନ୍ତାରେ ପକାଇଛି। ତେଣୁ ଏଭଳି ପରିସ୍ଥିିତିରେ ସରକାରୀ ସହାୟତା ଦାବି କରିଛନ୍ତି ଭଗବାନ ସେନାପତି ଓ ତାଙ୍କ ପରିବାର। ଆଜି ଭଗବାନଙ୍କୁ ବାରହା ଆକ୍ରମଣ କଲା କାଲି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଯେ ଆକ୍ରମଣ ନ କରିବ ତାହା କହିହେବ ନାହିଁ। ତେଣୁ ଏହି ସମସ୍ୟା ପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହୋଇଛି।
ବାରହା ଆକ୍ରମଣ ଅଳ୍ପକେ ବର୍ତ୍ତିଲେ ଭଗବାନ
