ନୟାଗଡ଼ରେ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର କୃଷ୍ଣଚନ୍ଦ୍ର କ୍ଳବ ସଭା ଗୃହରେ ଚଳିତ ସେପ୍ଟେମ୍ବର ୨୧ ତାରିଖରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସି.ପି.ଆଇ.(ଏମ୍)ର ତିରୋହିତ ସର୍ବଭାରତୀୟ ମହାସଚିବ କମ୍ରେଡ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଶତାଧିକ ପ୍ରଗତିଶୀଳ ବୁଦ୍ଧିଜୀବୀ, ଦଳୀୟ କର୍ମୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଥମେ ୟେଚୁରୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ ପୂର୍ବକ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସୀତାରାମ ୟେଚୁରୀଙ୍କ ପ୍ରଖର ରାଜନୈତିକ ପାଣ୍ଡିତ୍ୟ, ସମୁଜ୍ଜ୍ଵଳ ଶୈକ୍ଷିକ କ୍ୟାରିୟର, ସମୟୋପଯୋଗୀ କୌଶଳଗତ ସିଦ୍ଧାନ୍ତ, ପ୍ରଗତିଶୀଳ ଚିନ୍ତା – ଚେତନାର‌ ଦିଗଦର୍ଶକ ଭାବରେ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢେଇ ପରିଚାଳନା କରିବାରେ ୟେଚୁରୀ ଥିଲେ ଭାରତରେ ଅଦ୍ୱିତୀୟ ନେତା ବୋଲି ଏହି ସଭାରେ ବ୍ୟକ୍ତ କରିଥିଲେ ସି.ପି.ଆଇ. ଏମ୍ ରାଜ୍ୟସ୍ତରୀୟ ନେତା ଦୁଷ୍ମନ୍ତ ଦାସ।

ଭାରତର ଏଭଳି ଏକ ରାଜନୈତିକ ଅବକ୍ଷୟ ସମୟରେ ୟେଚୁରୀଙ୍କ ବିୟୋଗ ନିଶ୍ଚିତ ଭାବେ ଭାରତକୁ ଅଶେଷ କ୍ଷତି ପହଞ୍ଚାଇଲା ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟକ୍ତ କରିଥିଲେ ନୟାଗଡ଼ର ବିଧାୟକ ଡଃ ଅରୁଣ କୁମାର ସାହୁ ଓ ପ୍ରାକ୍ତନ ବିଧାୟକ ସତ୍ୟନାରାୟଣ ପ୍ରଧାନ। ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ୟେଚୁରୀଙ୍କ ଅପୂରା କାର୍ଯ୍ୟକୁ ପୂରଣ କରିବାକୁ ଆହ୍ବାନ ଦେଇଥିଲେ ଯୁବବର୍ଗକୁ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଶରତଚନ୍ଦ୍ର ବେହେରା, ସିପିଆଇ ନେତା ଅମୀୟ ପଟ୍ଟନାୟକ, କଂଗ୍ରେସ ନେତା ରଣଜିତ ଦାଶ, ସେବାଦଳ ନେତା ମନୋଜ କୁମାର ସାହୁ, ଏସୟୁସିଆଇ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଉମର ମଲ୍ଲିକ, ଅନାଦିଚରଣ ମହାନ୍ତି, କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ଗୋଲକବିହାରି ମୁଦୁଲି, ନିତ୍ୟାନନ୍ଦ ପରିଡ଼ା, ଶ୍ରମିକ ନେତା ସୁରେଶ ସ୍ବାଇଁ, ଗଙ୍ଗାଧର ପଣ୍ଡା, ପବିତ୍ର ଇନ୍ଦ୍ରଜିତ, ଯୁବନେତା ସରୋଜ ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Related posts