ମାଟିର ମହକ ନିଆରା ବେହଲା ବାଦକ ସୁବାସ

ରଣପୁର, (ନୟାଗଡ଼ ଦର୍ପଣ): ସ୍ୱଳ୍ପ ପାଠପଢ଼ା ଓ ଅଦମ୍ୟ ଇଚ୍ଛା ଶକ୍ତି। କିଛି ନୂଆ କରିବାର ନିଶା; ସେ ପୁଣି ସଙ୍ଗୀତ କଳା କ୍ଷେତ୍ରରେ। ପିତାମାତାଙ୍କ ସହିତ ପିଲାବେଳୁ ଆର୍ଥିକ ଅନାଟନରେ ସମୟ ଅତିବାହିତ କରୁଥିବା ଯୋଗୁଁ ଇଚ୍ଛା ଶକ୍ତି ଆଗରେ ହାର ମାନି ନଥିଲା ପରିସ୍ଥିତି। ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ଆଗ୍ରହ। ସେଥିପାଇଁ ପିଲାବେଳୁ କଅଁଳ ହାତର ସ୍ପର୍ଶରେ ମାଟି ପିଣ୍ଡୁଳାରେ ନୂଆନୂଆ ସୃଷ୍ଟି କରି ଚାଲନ୍ତି। ମାଟିରେ ମୂର୍ତ୍ତି ତିଆରି କରି ସେଥିରୁ ଦି’ ପଇସା ରୋଜଗାର କରି ପାଠପଢ଼ାରେ ଆଗକୁ ବଢ଼ିବାର ନିଶା କେତେବେଳେ ଯେ ପାଠପଢ଼ାରେ ଡୋରୀ ବନ୍ଧା ହେବ ଏବଂ ପରବର୍ତ୍ତୀ ସମୟରେ ମୂର୍ତ୍ତି କଳା କାରିଗରୁ ଓଡ଼ିଶା ସଙ୍ଗୀତ ଜଗତର ଜଣାଶୁଣା ବେହଲା ବାଦକ ଓ ତା’ର ସହିତ ବେହେଲା ନିର୍ମାତା କାରୀ ବନିଯିବେ ସେ ସବୁ ନିୟତିର ନିର୍ଦ୍ଦେଶ। ଏଇମିତି ଜଣେ କଳା କାରିଗରୀ କୌଶଳର ବ୍ୟକ୍ତି ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନନ୍ଦପୁର ଗାଁ’ର ସୁବାସ ଚନ୍ଦ୍ର ସେଠୀ।

୧୯୭୫ ମସିହା,ମେ ୫ ତାରିଖରେ ନନ୍ଦପୁର ଗାଆଁରେ ପିତା ଅଇଁଠା ସେଠୀ ଓ ମାତା ଖଲି ଦେଇଙ୍କ ଔରସରୁ ଜନ୍ମ ହୁଅନ୍ତି ସୁବାସ। ଛୋଟ ବୟସରୁ ବିଭିନ୍ନ ମୂର୍ତ୍ତି ତିଆରି କରି ସେ ସବୁକୁ ବିକ୍ରୀ କରି ପାଠ ପଢ଼ିବା ଜାରି ରଖନ୍ତି। ଏବଂ ରୁଚି ରଖନ୍ତି ସଙ୍ଗୀତ କଳାରେ ଶିକ୍ଷା ଗ୍ରହଣ କରିବା ପାଇଁ। ବିଶେଷ କରି ବେହେଲା ବାଦ୍ୟଯନ୍ତ୍ର ଶିଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ଯେତେବେଳେ ସେ ମାଟ୍ରିକରେ ପଢୁଥିଲେ ସେତେବେଳେ ସେ ବେହେଲା କିଣିବାକୁ ମନ ବଳାଇଥିଲେ। ଏବଂ କଟକସ୍ଥିତ ଏକ ପ୍ରତିଷ୍ଠିତ ସଙ୍ଗୀତ ବାଦ୍ୟଯନ୍ତ୍ର ବ୍ୟବସାୟ ପ୍ରତିଷ୍ଠାନକୁ ଯାଆନ୍ତି ବେହେଲା କିଣିବାପାଇଁ। ସେଠାରେ ଯାଇ ଦେଖନ୍ତି ତାହା ସମ୍ପୂର୍ଣ୍ଣ କାଠ, କିଛି ଛୋଟଛୋଟ ଧାତବ ପଦାର୍ଥ ଓ ତାରରେ ତିଆରି ହୋଇଛି। ସେଠି ତାହା ନ କିଣି ତାହାର ଗଠନ ଶୈଳୀକୁ ସେଠାରେ ମନେରଖି ଫେରି ଆସନ୍ତି ନିଜ ଗାଁ’କୁ। ମନକୁ ଜୁଟେ ବେହେଲା ନିଜେ ତିଆରି କରିବେ ଓ ସେଥିରେ ବେହେଲା ବାଦନ ଶିଖିବେ। ଧିରେ ଧିରେ ପ୍ରାଥମିକ ପର୍ଯ୍ୟାୟରେ ବିନା ଗୁରୁରେ ସେଥିରେ ସଫଳ ହେଲେ। ଅଧିକ ଜାଣିବା ଓ ଶିଖିବାର ଅଦମ୍ୟ ଇଚ୍ଛା ଶକ୍ତି ଆଗକୁ ବଢିବା ପାଇଁ ରାସ୍ତା ଦେଖାଏ। ଲକ୍ଷସ୍ଥଳରେ ପହଞ୍ଚିବାର ନିଶାଯେ ପରିଶେଷରେ ତାଙ୍କୁ ସ୍ଵତନ୍ତ୍ର ସଫଳତା ଦେଇଛି। ଏହା ପଛରେ ପ୍ରଛଦ ପଟର ନାୟକ ଥିଲେ ଓଡ଼ିଶା ସଙ୍ଗୀତ ଜଗତର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ନନ୍ଦପୁର ଗାଁ’ର ଜ୍ୱାଇଁ ପୁଅ ସ୍ୱର୍ଗତ ଅରବିନ୍ଦ ମୁଦୁଲି।

ତାଙ୍କରି ପ୍ରେରଣା ଓ ସାହଯ୍ୟରେ ଭୁବନେଶ୍ୱର ସ୍ଥିତ ସଙ୍ଗୀତ ସାଗର କଳା କେନ୍ଦ୍ରରେ ଗୁରୁ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବେହଲା ବାଦନ ଶିକ୍ଷା ଗ୍ରହଣ କରି (ସ୍ନାତକୋତ୍ତର)ପ୍ରଥମ ସ୍ଥାନରେ ପାସ୍ କରି ଗୁରୁଙ୍କ ଆଶୀର୍ବାଦରୁ ଓଡ଼ିଶାର ସଙ୍ଗୀତ ଜଗତରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ କଳା ପରିବେଷଣ ସହିତ ବେହେଲା ମରାମତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଅନେକ ପ୍ରଶଂସା ସାଉଁଟିଛନ୍ତି;ଯାହା ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି। ଓଡ଼ିଶାର କୋଣ ଅନୁକୋଣରୁ ବହୁ ଦୂର ଦୂରଦୂରାନ୍ତରୁ ବେହଲା ବାଦ୍ୟଯନ୍ତ୍ର ପ୍ରେମୀ ନୂଆ ବେହେଲା ତିଆରି କରି ନେବାପାଇଁ ଓ ପୁରୁଣା ବେହେଲା ମରାମତି କରିବା ପାଇଁ ଧାଇଁ ଆସନ୍ତି ତାଙ୍କ ପାଖକୁ ବୋଲି କୁହନ୍ତି ସୁବାସ। ସେଥିରୁ ଯାହା ଦି’ ପଇସା ମିଳେ ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ପାଉଣା ପାଇଁ କେବେ କୌଣସି ଗ୍ରାହକ ନିକଟରେ ଦାବି କରନ୍ତି ନାହିଁ। ଯିଏ ଯାହା ଦେଲା ତାକୁ ସେ ସାଦରେ ଗ୍ରହଣ କରି ନିଅନ୍ତି। ରାଜ୍ୟ ସରକାରଙ୍କ ତରଫରୁ କଳା ଓ କଳାକାରମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି। ଯଦି ତାଙ୍କ କ୍ଷେତ୍ରରେ ସଠିକ୍ ପଦକ୍ଷେପ ନେଇ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାନ୍ତି ତେବେ ସମଗ୍ର ନୟାଗଡ଼ ଜିଲ୍ଲା ସମେତ ରଣପୁର ଏକ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରନ୍ତା ବୋଲି ଦୃଢ଼ତାର ସହ ମତ ରଖିଛନ୍ତି।

Related posts