ଗୁରୁ ପୂର୍ଣ୍ଣିମାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ସ୍ମରଣିକା ଉନ୍ମୋଚନ

ରଣପୁର,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଜଣାଶୁଣା ଶିକ୍ଷାନୁଷ୍ଠାନ ଝାଡପଡା ସ୍ଥିତ ନୀଳକଣ୍ଠେଶ୍ଵର ଦେବ ବିଦ୍ୟାପୀଠ ପରିସରରେ ଗ୍ରାମର ବରିଷ୍ଠ ଶିକ୍ଷାବିତ୍ ଉପେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଓ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ସ୍ମରଣିକା ” ଅନୁଭୂତିରେ ଆମ ବିଦ୍ୟାଳୟ” ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ୧୯୫୦ ମସିହାରୁ ଗଠିତ ପ୍ରାଥମିକ ବିଦ୍ୟାଳୟ ଓ ୧୯୮୭ ମସିହାରେ ଗଠିତ ନୀଳକଣ୍ଠେଶ୍ଵର ଦେବ ବିଦ୍ୟାପୀଠ ଗଠନର ଇତିବୃତି ସମ୍ପର୍କିତ ସ୍ମରଣିକା ଉନ୍ମୋଚନ ସହିତ ଉଭୟ ବିଦ୍ୟାଳୟରୁ ଅବସର ପ୍ରାପ୍ତ, ଦିବଙ୍ଗତ ତଥା ଅଧୁନା କାର୍ଯ୍ୟରତ ୭୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ତତ୍ ସହିତ ବିଦ୍ଯାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ମହାନ ବ୍ୟକ୍ତିତ୍ଵ ତଥା ନିକଟବର୍ତ୍ତୀ ହାଇସ୍କୁଲ ମାନଙ୍କରୁ ଅବସର ନେଇଥିବା ଗୁରୁଜୀମାନେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ବିଜୟ କୁମାର ଜେନା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ଯୋଗଦେଇ ସେମାନଙ୍କର ବହୁମୂଲ୍ଯ ଅଭିଭାଷଣ ପ୍ରଦାନ କରିବା ସହ ଗୁରୁଜୀମାନଙ୍କୁ ସମ୍ମାନୀତ କରିଥିଲେ। ଅଧ୍ୟାପକ ସଞ୍ଜୀବ କୁମାର ପରିଡ଼ା ଓ ସ‍‍ଂସ୍କୁତ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାଥୁଆ ମଞ୍ଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟରେ ପାଠପଢି ସମାଜର ମୁଖ୍ଯ ସ୍ରୋତରେ ସାମିଲ ହୋଇଥିବା ପାଖାପାଖି ୪୦୦ରୁ ଉର୍ଦ୍ଧ୍ଵ ପ୍ରାକ୍ତନ ଛାତ୍ରଛାତ୍ରୀ ଉକ୍ତ ଭବଦୀୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ହଜିଲା ଅତୀତକୁ ରୋମନ୍ଥନ କରିଥିଲେ। ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକମାନଙ୍କ ସହଯୋଗରେ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇ ପାରିଥିଲା।

Related posts