ସର୍ଟ ସର୍କିଟ ହୋଇ ଘରେ ଲାଗିଲା ନିଆଁ

ଭାପୁର, (ନୟାଗଡ଼ ଦର୍ପଣ): ଫ୍ୟାନରୁ ସର୍ଟ ସର୍କିଟରେ ଘରସାରା ନିଆଁ। ନିଆଁର ପ୍ରକୋପରେ ଫାଟିଲା ଗ୍ୟାସ ସିଲିଣ୍ଡର। ଅଳ୍ପକେ ବଞ୍ଚିଗଲା ୬ଜଣଙ୍କ ଜୀବନ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ବାସ ଭବନରେ। ରାତି ପ୍ରାୟ ୩ଟା ହେବ ସରକାରୀ କ୍ଵାଟର ମଧ୍ୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ ତାଙ୍କ ପତ୍ନୀ ଏବଂ ୩ ଛୁଆ ଏବଂ ତାଙ୍କ ମା ଶୋଇଥିଲେ। ହଠାତ ତାଙ୍କ ମା’ଙ୍କ ରୁମରେ ଥିବା ଟେବୁଲ ଫ୍ୟାନଟି ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ବାହାରୀ ଘରର ଚାରିଆଡେ ଲାଗିଯାଇଥିଲା। ଏଭଳି ଘରର ଉତ୍ତାପ ଜାଣିପାରି ପୁଅ କୈଳାସ ଉଠି ଦେଖନ୍ତି ଘର ମଧ୍ୟରେ କଳା ଧୂଆଁ ସହିତ ନିଆଁ ଭର୍ତ୍ତି ହୋଇଯାଇଛି । ଏଭଳି ଘଟଣା ଦେଖି ପିଲାମାନଙ୍କୁ ଜୀବନ ବିକଳରେ ଘରର ପଛପଟେ ବାହାରକୁ ନେବା ସମୟରେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ ସହିତ ଘରର ଛାତ ଉଡି ଯାଇଥିଲା। ଏହି ନିଆଁରେ କୈଳାସଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡିଯିବା ସହିତ ସ୍ତ୍ରୀ ଏବଂ ମା’ ନିଆଁରେ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଭାପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଗୁରୁତର ଆହତ କୈଳାସଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଫତେଗଡ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛନ୍ତି।

Related posts