ସମର୍ପଣ ବୃଦ୍ଧାଶ୍ରମକୁ ଇ-ଅଟୋ ଦାନ କଲା ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅସହାୟ ନିଃସହାୟମାନଙ୍କ ପାଇଁ ସହାୟ ହେଉଛି ସମର୍ପଣ ବୃଦ୍ଧାଶ୍ରମ। ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ରହୁଛନ୍ତି ୨୫ଜଣ ଅସହାୟ ବୃଦ୍ଧବୃଦ୍ଧା। ସେମାନଙ୍କୁ ଆଉ ଟିକିଏ ଅଧିକ ସହାୟତା ଦେବା ପାଇଁ ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା ସହଯୋଗର ହାତ ବଢ଼ାଇ ସମର୍ପଣ ଅନ୍ତେବାସୀମାନେ ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ ଗୋଟିଏ ଇ- ଅଟୋ ଦାନ କରିଛନ୍ତି।

ଆଜି ପୂର୍ବାହ୍ନ ୧୧ଟା ସମୟରେ ଷ୍ଟେଟ୍ ବ୍ଯାଙ୍କ ର ଏହି ସମର୍ପଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଓ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖାର ଚିଫ୍ ମ୍ଯାନେଜର ହୃଷିକେଶ ତ୍ରିପାଠୀଙ୍କ ସହିତ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ସବୁଜ ପତାକା ଦେଖାଇ ଇ-ଅଟୋ କୁ ଉଦଘାଟନ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖାର ଏହି ଅବଦାନକୁ ଉପସ୍ଥିତ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବନ ମହୋତ୍ସବ ସପ୍ତାହ ଚାଲିଥିବାରୁ ସମର୍ପଣ ପରିସରରେ ଜିଲ୍ଲାପାଳ ମାଡାମ୍ ଶ୍ରୀମତୀ ସିଂହ ଗୋଟିଏ ବଉଳ ଗଛ ରୋପଣ କରିଥିଲାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୈନ ଗୋଟିଏ ଜାମୁ ଗଛ ରୋପଣ କରିଥିଲେ।

ଏହାପରେ ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ସିଂହଙ୍କ ଅଧ୍ଯକ୍ଷତାରେ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଥିଲା। ସମର୍ପଣ ବୃଦ୍ଧାଶ୍ରମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ଅନ୍ତେବାସୀ ମାନଙ୍କୁ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ବିଷୟ ରେ ଅନେକ ଗଠନ ମୂଳକ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାପାଳଙ୍କ ସହିତ କାର୍ଯ୍ଯ ନିର୍ବାହୀ ସଦସ୍ଯ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କହଁର, ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, କାର୍ଯ୍ୟ ନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲେ। ପରିଶେଷରେ ସମର୍ପଣ ବୃଦ୍ଧାଶ୍ରମ ସଂପାଦକ ଶ୍ରୀଯୁକ୍ତ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Related posts