ଅବ୍ୟବସ୍ଥା ଘେରରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଛନ୍ତି ଆଦିବାସୀ। ପ୍ରସୂତି ହେବାପରେ ମିଠା ବାହାନାରେ କରାଯାଉଛି ଅର୍ଥ ଦାବି। ନର୍ମାଲ ବା ସାଧାରଣ ଭାବେ ପ୍ରସୂତି ହେବାପରେ ପୁଅ ହେଲେ ୨ ହଜାର ଏବଂ ଝିଅ ହେଲେ ୧ ହଜାର ଟଙ୍କା। କିଏ କିଛି ଆଶାକର୍ମୀଙ୍କ ହାତରେ ମଗାଉଛି ତ ପୁଣି କେଉଁ ଦିଦି ସିଧାସଳଖ ମାଗୁଛି। ଦୈନିକ ପ୍ରସୂତି ପାଇଁ ଆସୁଥିବା ସମ୍ପର୍କୀୟ ଏଭଳି ଶୋଷଣର ଶିକାର ହେଉଛନ୍ତି। ଦିଦି ମାନେ ମିଠା ଖାଇବା ପାଇଁ କିଛି ଟଙ୍କା ମଗା ଯାଉଥିବା ବେଳେ ଆଉ କିଛି ଟଙ୍କାରେ ମାରା ହୋଇଥିବା ଚୁଡ଼ି, ଶଙ୍ଖାକୁ ପରିବର୍ତ୍ତନ କରିବାକୁ କୁହାଯାଉଛି। ହେଲେ ଟଙ୍କା ଦେଉଥିବା ସମ୍ପର୍କୀୟ ମାନେ ଭୟରେ ଅଧିକାରୀ କିମ୍ବା କ୍ୟାମେରା ଆଗରେ ମୁହଁ ଖୋଲିବାକୁ ସାହାସ କରୁନଥିବା ଦେଖିବାକୁ ମିଳୁଛି। ଖୋଲମଖୋଲା ଭାବେ ଏଭଳି ଅର୍ଥ ଦାବି କରାଯିବା ଦ୍ବାରା ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳର ଗର୍ଭବତୀ ମହିଳା ମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ସନ୍ଦୀପ କୁମାର ସ୍ବାଇଁ କହିଛନ୍ତି ଏଭଳି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା କିଛି କର୍ମଚାରୀ କହିଛନ୍ତି। ଖାଲି ସେତିକି ନୁହେଁ ରାତି ଅନ୍ଧାରେ ଆସୁଥିବା ଗର୍ଭବତୀଙ୍କୁ ସଠିକ ଭାବେ ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ଧରି ପକାଇ ରଖିବା ପରେ କାହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଉଛି ତ ପୁଣି କାହାରିକୁ ବେସରକାରୀ କ୍ଲିନିକକୁ ପଠାଇ ଦିଆଯାଉଛି। ଗୋଟିଏ ପାର୍ଶ୍ବରେ ସରକାର ପ୍ରସୂତି ସମୟରେ ମହିଳାଙ୍କୁ ସମସ୍ତ ପ୍ରକାର ଔଷଧ ସହ ମାଗଣାରେ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିବା ବେଳେ ଏଠାରେ ଏହାର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହା ଉପରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Related posts