ସଂଠଣା

ପ୍ରଭାସିନୀ ବରାଡଙ୍କ ଲିଖିତ ‘ସଂଠଣା’
ଆଜ୍ଞା , ଜେଜେ କହି ହାତଯୋଡି ବସିପଡିଲା ଶୁକୁଟା, ପିଣ୍ଡାତଳେ ପଡିଥିବା ଏକ ପଥର ଚଟାଣରେ ।
କିରେ ଶୁକୁଟା କ’ଣ ହେଲା କିରେ ? ଟିମାଦାସେ ପିଣ୍ଡାଉପରେ ବସି ପ୍ରଶ୍ନ କଲେ ।
ନାଇଁ ଆଜ୍ଞା, କହୁଥିଲି କ’ଣ କି ଏଇ ଯୋଉ ହାଣ୍ଡି ଶିରାଦ କଥା, ବେଗିବେଗି ଦିନବାର ଦେଖି ଟିକିଏ ପକେଇଦେଲେ ଭଲହନ୍ତାନି । ଆମେ ହେଲୁ ଦିନମଜୁରିଆ ଲୋକ ବସିଲେ କୋଉଠୁ ଆସିବ କହୁନ। ଭାବୁଚି ଶିରାଦ ପକେଇଦେଇ କୁଆଡେ ବାହାରକୁ ପଳେଇବି ବଡବଡିଆ ଟେକା ହଉନହଉ । ଜେଜିବୋପା ତ ସଂପତ୍ତି ବିକିଭାଙ୍ଗି ନାଟତାମସା କରି ଖଜାଭୁଜା ଖାଇ ଉଡେଇଥିଲା, ଆଉ ବୋପା ପରର ଖଟିଖଟି ଦିହକଗଲା । ମୋ କରମରେ ସେଇ ଏକା ଲେଖା ଆଜ୍ଞା ମୂଲମଜୁରି ଲାଗି ପରର ଖଟିଲେ ଚୁଲି ଜଳିବ ନହେଲେ ଉପାସ ।
ହଁ ଏଇ ଶିରାଦଫିରାଦ କି ବଡବଡିଆ କିଛି କରିବାକୁ ମନ ବଳୁନେଇଁ ଆଉ, ବାଡିଗୋବେରେ ଗୋବେ ବିଲ ନାଁ ବାରି ମୋ ପେଇଁ ରଖିଥାନ୍ତେ ହେଲେ, ଚାଉଳ କିଣେ ପିଣ୍ଡ ପକା । ଏତେ କଥା ଆଉ କରିପାରିବିନି, ମଲେତ ଗଲା କିଏ ଖାଉଚି ନାଁ ଦେଖିଆସୁଚି କହୁନ ଆଜ୍ଞା ?
ଭାରି ବିରକ୍ତି ଓ ଅଭିମାନ ଭରା ମନଦୁଃଖରେ ଶୁକୁଟା କହିଚାଲିଥାଏ ଟିମାଦାସେ ଶୁଣୁଥାନ୍ତି ।
ଆରେ ତୁ ଏମିତି ଭାଙ୍ଗିପଡିଲେ ହବ, ଯାହା ଆମର ନିତିନିୟମ ପରଂପରା ଅଛି ସେ ସବୁକୁ ଆମକୁ ମାନିବାକୁ ପଡିବ ନାଁ, ଏ ହେଉଛି ମହାଳୟା ଶ୍ରାଦ୍ଧ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ସୋମାନେ ଏହିଦିନକୁ ଚାହିଁ ବସିଥାନ୍ତି ଓ ଆଶୀର୍ବାଦ କରନ୍ତି । ଭଗବାନ ମଧ୍ୟ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ତୁ ପୁଅ ଜନ୍ମ ପାଇଛୁ ସେମାନଙ୍କୁ ମୋକ୍ଷ କରିବା ତୋର କର୍ତ୍ତବ୍ୟ, ଆଉ ରହିଲା ସଂପତ୍ତି କଥା ସଂପତ୍ତି ଥାଉନଥାଉ ମନଥିବା ଦରକାର। ତୁ ଦେଇଥିଲେ ତୁ ପାଇବୁ। ତୋ ଜେଜେବାପା ବାପାଙ୍କର ତୁ କ’ଣ ସଂପତ୍ତି ନୁହଁ’କି? ସେମାନଙ୍କ ବଂଶଧର ପୁଣି କେତେ ପ୍ରାରବ୍ଧଫଳ ଅନୁସାରେ ମନୁଷ୍ୟ ଜନ୍ମ ପାଇଛୁ, ଦୁନିଆକୁ ଦେଖୁଛୁ, ୟାଠୁ ବଡ ସଂପତ୍ତି କ’ଣ ଦେଇଥାନ୍ତେ କହିଲୁ ! ପ୍ରତ୍ୟେକ କାମ ଭାଙ୍ଗିନପଡି ମନଯୋଗ ସହକାରେ ନିୟମ ନିଷ୍ଠାରେ କଲେ ଦେଖିବୁ ଭଗବାନ ସହାୟହେବେ । ପିଣ୍ଡପାଣି ମୁଠେ ପାଇବାକୁ ପୁଅ କେତେ ଖୋଜା ପଡୁଛି ଜାଣୁ, ଯେତେ ଝିଅ ଥିଲେ କ’ଣ ହବ କହ l ତେବେ ଏଇ ସୋମବାର ଭଲଦିନ ଅଛି ଶ୍ରାଦ୍ଧ ପକାଇଦେବା ସବୁ କାମ ସାରିଦେଇଥିବ ।
ଆଜିକାଲି ଭଲ ବେଳକାଳ ଆଉ ନାହିଁରେ ଶୁକୁଟା । କିଏ କାହାକୁ ମାନିଲେ ନାହିଁ କି ଗୁରୁଗୁରୁଜନ କଥା ଶୁଣିଲେ ନାହିଁ । ବାପା ମା’ ପିତୃପୁରୁଷ ଦିଅଁଠାକୁର କାହାକୁ ଖାତିର ନାହିଁ ।
ଟିମାଦାସଙ୍କ କଥା ଶୁଣି ଶୁକୁଟା ମନ ଟିକେ ପରିବର୍ତ୍ତନ ହେଲା ।
ହଉ ଆଜ୍ଞା କହୁଛ ଯେତେବେଳେ ଏଥର ସବୁ କରିବି ।
ଆଶ୍ବିନ ମାସ ଦ୍ବିତୀୟା ଓଷା ପରଠାରୁ ଗାଁ ସାରା ଧୂଆ ପୋଛା ଚାଲିଛି। ସ୍ତ୍ରୀ ଲୋକ ମାନଙ୍କର ବଡ ଚିନ୍ତା ବର୍ଷକୁ ଥରେ କେମିତି ସବୁକାମ ତୁଟିଲେ ଶ୍ରାଦ୍ଧ ଦେବେ । ନିଜ ଗାଁ ପୁଣି ପାଖ ଦୁଇଖଣ୍ଡ ଗାଁର ଜେଜେମାନ କାମ ଟିମାଦାସେ ଧରିଛନ୍ତି । ଫୁର୍ ସତ ନାହିଁ, ବେଳେବେଳେ ନିଜ ସୁବିଧା ଦେଖି ଲୋକଙ୍କୁ ଦିନ କହିଦିଅନ୍ତି । ଦାସେଙ୍କର ରୋଜଗାର କାହିଁରୁ କଣ ଚାଉଳ ବସ୍ତାବସ୍ତା, ପନିପରିବା, ଟଙ୍କା ପଇସା ଗାମୁଛା ଯୋଡ କୋଉଥିରେ କମ ନାହିଁ । ବର୍ଷ ସାରା ଦିନଶ୍ରାଦ୍ଧ, କର୍ମକର୍ମାଣି, ଗୃହପ୍ରବେଶ, ବିବାହବ୍ରତ କେତେ କଣ ତା ସାଙ୍ଗକୁ ବ୍ରାହ୍ମଣ ଭୋଜନ ପାଇଁ ଡକା ପଡେ, ଅଣ୍ଟାରେ ସବୁବେଳେ ଟଙ୍କା ଥାଏ। ଦାସଙ୍କର ପାଖଆଖ ଗାଁରେ କାହିଁରୁ କ’ଣ ଖାତିର ।
ଚିତାତିଳକ ମାରି ହାତରେ ଠାକୁର ପୂଜା ପାଇଁ ପାଣିଢାଳ ଧରିପକାଇଲେ ସାକ୍ଷାତ ଭଗବାନଙ୍କର ବାମନ ରୂପ ପରି ଦେଖାଯାନ୍ତି ଦାସେ । ଚନ୍ଦାମୁଣ୍ଡକୁ ଉଚ୍ଚତା କମ୍ କାନ୍ଧରେ ପଇତା ପୁଣି ଦେହରେ ଯୋଡ ! ନ ଦିଶିବେ କେମିତି!
ପିଲାବେଳେ ନାତିକୁ ଅଜା ପୁଅ କରି ଆଣିଥିଲେ । ପୁଅ ନଥିବାରୁ ପିଣ୍ଡପାଣି ମୁଠେ ପାଇବାକୁ । ଅଜାଙ୍କର ଟିମା ଟିମା ଡାକରେ ନାଁ ରହିଲା ଟିମାଦାସେ । ବ୍ରତ ଆଉ ବାହା କରାଇ ନିଜର କୌଳିକ ବୃତ୍ତିକୁ ନାତି ହାତରେ ଧରାଇ ଦେଇଥିଲେ ଅଜା ।
ଦାସେ ଥିଲେ ଅତିଲୋଭୀ ଓ କୃପଣ ସ୍ବଭାବର ଲୋକ । କାହାକୁ ଛାଡିବାର ନାହିଁ କି ଦିନେକାଳେ ଟଙ୍କାଟିଏ କାହାକୁ ଦେବାର ନାହିଁ । ଧନ ଯାଦୁ ମାଡିଲା ପରି ହୁ ହୁ ହୋଇ ମାଡିଚାଲେ । କଥାରେ ଅଛି ‘କୃପଣ ହାତରେ ଧନ’।
ପ୍ରକୃତିପ୍ରେମୀ ଟିମା ଦାସଙ୍କର ଗଛପତ୍ର, ଫୁଲଫଳରେ ଭାରି ଶ୍ରଦ୍ଧା । ସମୟ ମିଳିଲେ ଦିନରାତି ଉଣ୍ଡିବସନ୍ତି । କେଉଁଗଛ ଶୁଖିଲା, ଡେରି ହେଲାଣି କାହିଁ ଫଳ ଆସିନି, କୋଉଠି ଜଉପୋକ ଲାଗିଲା ଏମିତି ନିଜ ପୁଅପରି ଭାରି ଦାୟିତ୍ବ ଗଛବୃଛ ଉପରେ । ଧାଡିକିଧାଡି ଗୁଆନଡିଆ ଆମ୍ବପଣଷ, ଲେମ୍ବୁକଦଳୀ, ପୋଖରୀରେ ମାଛଚାଷ ବିଭିନ୍ନ ଫୁଲଫଳରେ ଭର୍ତ୍ତି ବାଡିବଗିଚା । ପ୍ରତିଦିନ ସକାଳୁ ସକାଳୁ ଫୁଲତୁଳସୀ ଡାଲେ ତୋଳି ଠାକୁର ପୂଜନ୍ତି ଦାସେ । ଲୋକେ କୁହନ୍ତି ଗୋସେଇଁ ବୁଢା ହାତରେ କି ଯାଦୁଅଛି କେଜାଣି ଗଛଗୁଡା ଦିନକୁ ମଞ୍ଜେ ବଢୁଛି । ତିଥି ଅନୁସାରେ କର୍ମକର୍ମାଣୀ ସହିତ ଘଡିଏ ଲେଖାଏଁ ମଝିରେ ମଝିରେ ମୂଲିଆହଳିଆଙ୍କ କାମ ତଦାରଖ ନିମନ୍ତେ ଦାସେ ଗହୀର ଆଡେ ବୁଲିଆସନ୍ତି । ହିଡ ଉପରେ ଛିଡା ହୋଇ ଡାକଛାଡନ୍ତି ହଇରେ ଗୋବରା ହେ ରାମ ଛିଡା ହେଲୁ କ’ଣ ମ କାମକର! ଏକଥା ସଭିଏଁ ଜାଣନ୍ତି କି ଦାସେ ଅଣ୍ଟା ସଳଖିବାକୁ ଦେବେନି । ବୁଢାକୁ ଚିଗୁଲିକରି ନିଜନିଜ ଭିତରେ କଥା ହୁଅନ୍ତି। ଯେତେ ଧନ ସେତେ ଲୋଭ। ତା ବୋଲି ଲୋକଙ୍କୁ ଆହା ବିକଳ ଟିକେ କରିବନି । ମଲାବେଳକୁ ଧନମୁଣ୍ଡେଇ କିଏ ନେଲାଣୀ ।
ଏକମାତ୍ର ପୁଅ ସୁବୋଧ ଦାସେଙ୍କର ନୟନ ପିତୁଳି । ଭାରି ଆଦରଯତ୍ନ କରି ସ୍ବାମୀ ସ୍ତ୍ରୀ ପିଲାଟି ବେଳୁ ବଢାଇଥିଲେ । ଦିନକୁଦିନ ବୟସ ବଢିଲା ହେଲେ କୌଣସି ଭଲ କାର୍ଯ୍ୟକଳାପ ଦାସେ ପୁଅଠାରୁ ଲକ୍ଷ୍ୟ କରିପାରୁନଥିଲେ । ନାଁ ପାଠରେ ନାଁ ସାଠରେ ପ୍ରତିଦିନ ଶୁଣିବାକୁ ମିଳିଲା କାହାର ନାଁ କାହାର ଅଭିଯୋଗ । ତୁମ ପୁଅ ଏଠି ଏୟା କରୁଥିଲା ସେଠି ସେୟା କରୁଥିଲା : ସାର୍ ମାନଙ୍କ ଅଭିଯୋଗ ଭଲପଢୁନି ମାନୁନି ଇତ୍ୟାଦି ଇତ୍ୟାଦି ।
କ୍ରମେ ଧନ ଲୁଚେଇ ଚୋରେଇ ବରବାଦ କରିବାକୁ ଲାଗିଲା ସୁବୋଧ, କିଛି କୁସଙ୍ଗରେ ପଡି । ଏସବୁ ଦେଖି ମନଉଣା କରି ଗମ୍ଭୀର ଦିଶନ୍ତି ଦାସେ । କରିବେ ବା କଣ ସବୁ ସେଇ କପାଳଲିଖନ। ମନେ ପଡିଗଲା ‘ପୁଅ ଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚୁ’ ଦାସଙ୍କ ମୁଣ୍ଡରେ ଘୋର ଚଡକ ପଡିଗଲା । ଦିନକୁଦିନ ଅବସ୍ଥା ଅସମ୍ଭାଳ ହେଲା ।
ଏହା ଦେଖି ଅତି ଲୋଭୀ ଓ କୃପଣ ଦାସେ ପୁଅକୁ ହାତକୁ ଦିହାତ କରିଦେବାକୁ ମନସ୍ଥ କଲେ । ଯା ଦ୍ବାରାକି ଆଉ ସଂପତ୍ତି କାଳେ ବରବାଦ ହେବନାହିଁ । ସେଥିପାଇଁ ତ ବୁଦ୍ଧିମତି ଗୁଣର ବୋହୁ ଟିଏ ଆବଶ୍ୟକ ସେଇଟା ପୁଣି ଭାଗ୍ୟର କଥା । କଥାଟା କାନକୁ ଦିକାନ ହେଲା । ଦୁଇ ଚାରୋଟି ପ୍ରସ୍ଥାବ ଦାସଙ୍କ ନିକଟକୁ ଆସିଲା । ଲୋକେ ମନେମନେ ଭାବୁଥିଲେ ଯାନିଯୌତୁକ ବହୁତ ମାଗିବେ ।
ଦାସେ ଲୋଭୀ ଥିଲେ ସତ କିନ୍ତୁ ବହୁତ ଦୂରଦୃଷ୍ଟିସଂପନ୍ନ ଓ ଚାଲାକ ଚତୁର ବ୍ୟକ୍ତି ଥିଲେ । ପଡୋଶୀ ଏକ ନୈଷ୍ଟିକ ଶାସନିଆଁ ଗାଁର ଝିଅଟିଏ ଦେଖି ଠିକ୍ କଲେ । ଝିଅଟି ଉଚ୍ଚ ଶିକ୍ଷିତା, ବୁଦ୍ଧିମତୀ, ଗୁଣବତୀ ସର୍ବଗୁଣ ସଂପନ୍ନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଝିଅକୁ ଦେଖି ଦାସେଙ୍କର ଖୁବ୍ ମନ ପାଇଲା । ମନେମନେ ଖୁସିହେଲେ ଏଭଳି ଝିଅଟିଏ ଘରକୁ ବୋହୁକରି ନେଲେ, ଘର ହସିଉଠିବ, ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଟିଏ ।
ମଧ୍ୟସ୍ଥି ହାତରେ କନ୍ୟାପିତା ସଫାସଫା ମନା କରି ଜଣାଇଦେଲେକି, ଆମେ ତାଙ୍କ ଘର ସହ ବନ୍ଧୁବାନ୍ଧିବାକୁ ସମକକ୍ଷ ନୋହୁଁ । ପସନ୍ଦ ମୁତାବକ ଯାନିଯୌତୁକ ଦେଇପାରିବୁ ନାହିଁ ।
ଅଚଳାଚଳ ସଂପତ୍ତି ଥାଇ ଲୋଭ ମନଭିତରୁ ଉଙ୍କି ମାରୁଥିଲେ ମଧ୍ୟ ପୁଅର ଅଯୋଗ୍ୟ ପଣିଆ ଭାରି ମର୍ମାହତ କରୁଥାଏ, ଆଖିସାମ୍ନାରେ ଝଲସି ଯାଉଥାଏ ଝିଅଟିର ରୂପଗୁଣ। ଶେଷ ସିଦ୍ଧାନ୍ତରେ ଦାସେ କହିଲେ ଯେ, ସେ ଝିଅକୁ ବିନା ଯୌତୁକରେ ମୁଁ ବୋହୁ କରି ଆଣିବି । ଏକଥା ଶୁଣି ମଧ୍ୟସ୍ଥି ସହ ଗାଁ ଲୋକମାନେ ଚମକି ପଡିଥିଲେ । ତୁଣ୍ଡରୁ କାହାର କାହାର ବାହାରି ପଡିଲା ଆରେ ଭାଇ ଏ କ’ଣ ଲଙ୍କାରେ ରାମନାମ ।
ତିଥିଲଗ୍ନ ଦେଖି ବାହାଘର ଧୂମ୍ ଧାମରେ ହେଲା । କଳଘୋଡା, ସାଇବସାଇବାଣୀ, ବାଘ ଭାଲୁ, ବ୍ୟାଣ୍ଡପାର୍ଟି ସହ ଯୋଡିମହୂରୀ, ଯୋଡିଶଂଙ୍ଖ ରଂଗବେରଂଗର ଆତସବାଜି ଏମିତି କେତେ କଣ ଦାସେ ଆଣିଥିଲେ । ଗାଁ ଲୋକମାନେ ଭୋଜି ଖାଇ ଭୂରିଭୂରି ପ୍ରଶଂସା କରିବାକୁ ପଛାଇନଥିଲେ । ଲୋଭ ଛଡାଇ ଏତେ ଦିନରେ ମୁଠେ ଖାଇବାକୁ ଦାସେ କେମିତି ଦେଲେ ସଭିଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା ? ବୋହୁଟିର ରୂପଗୁଣ ଓ ବ୍ୟବହାର ଚାଲିଚଳନ ସମସ୍ତଙ୍କୁ ବିମୋହିତ କରିଥିଲା । ଜ୍ଞାତିକୁଟୁମ୍ବ ଓ ବନ୍ଧୁବାନ୍ଧବ ବାଃ ବାଃ କରିବାକୁ ଲାଗିଲେ, ଘରକୁ ଯିଏ ଆସିଲେ ଗଲେ ବୋହୁଟି ଯଥାମାନ୍ୟ କରୁଥାଏ ତେଣୁ ସଭିଏଁ ଖୁସି ।
ଟିମାଦାସଙ୍କର ମନ କିନ୍ତୁ ଥୟ ଲାଗୁନଥାଏ । କେଉଁଦିନ ପୁଅ ବାଟକୁ ଆସିବ ସେ ଚିନ୍ତାରେ ସେ ଜୁଡୁବୁଡୁ ।
ଦାସଙ୍କ ବୋହୁ ସୁମି ଦିନ କେଇଟାରେ ଶାଶୁ, ଶ୍ବଶୁର ଓ ସ୍ବାମୀର ମନକିଣି ସାରିଲାଣି । ଧିରେଧିରେ ସୁବୋଧଙ୍କର ମନ୍ଦଗୁଣ ସୁମିକୁ ବହୁ ବ୍ୟଥିତ କରି ପକାଇଲା ।
ପ୍ରତିଦିନ କିଛି କିଛି ସମୟ ବୁଝେଇ ସୁଝେଇ ଭଲ ଉପଦେଶ ଦେବାରେ ସୁମି ଲାଗିପଡିଲା । ସୁବୋଧ ଯେତେ ମାତ୍ରାରେ ପ୍ରତ୍ୟେକ କଥାରେ ଅମନଯୋଗୀ ଥିଲା ସୁମିର ପ୍ରଭାବରେ ତାର ଦିନକୁଦିନ ପରିବର୍ତ୍ତନ ପରିଲକ୍ଷିତ ହେଲା । କାର୍ଯ୍ୟକଳାପ ଓ ବ୍ୟବହାର ଗୁଡିକ ଧିରେଧିରେ ଉତ୍ତମ ହେଲା ।
ଦିନେ ଟିମାଦାସେ ବୋହୁକୁ ଧିର ଏବଂ ସ୍ନେହଭରା କଣ୍ଠରେ ଡାକିଲେ ।
ଆରେ ମା’ ସୁମି ଟିକିଏ ଶୁଣିବୁ….
ଆଜ୍ଞା ନନା କ’ଣ କହୁଥିଲେ ?
ହଁ ରେ ମା ତୁ’ତ ଘରର ବୋହୁ ନୁହେଁ ସାକ୍ଷାତ ଲକ୍ଷ୍ମୀ । ମୁଁ ଆଜି ବହୁତ ଖୁସି ଯେ, ତୋର ଗଭୀର ଚେଷ୍ଟା ଓ ଭଲପାଇବା ଯୋଗୁଁ ମୋ ପୁଅର ପରିବର୍ତ୍ତନ ହୋଇଛି । ଭାବୁଛି ଏଣିକି ତୁମେ ଦୁହେଁ ଏସବୁ ସଂପତ୍ତି ଦେଖାଶୁଣା କରିବ ।
ଏକଥା ଶୁଣୁଶୁଣୁ ଟିମାଦାସଙ୍କ ସ୍ତ୍ରୀ କହିପକାଇଲେ ମୋ ସୁନା ନାକି ବୋହୁ ଉପରେ ଏତେ ଆଉ ଚାପ ପକାଅନି, ଜାଣିଛ ସେ ମା’ ହେବାକୁ ଯାଉଛି, ଆଉ କିଛି ଦିନ ସମ୍ଭାଳି ନିଅ ।
ଶାଶୁଙ୍କ କଥା ଶୁଣି ସୁମି ସେଦିନ ଲାଜେଇ ଘର ଭିତରକୁ ଚାଲିଗଲା, ଟିମାଦାସେ ଖୁସିରେ ଫାଟିପଡିଲେ ।
ସମୟକ୍ରମେ ସୁମିର ଆଗପଛ ଦୁଇଟି ଝିଅ ହେଲା । କୋଳାହଳରେ ଅଗଣାଘର ଫାଟିପଡିଲା । ପିଲାଟି ଦିନରୁ ଲାଗୁଥିଲାକି ଝିଅ ଦୁଇଟି ଖୁବ୍ ଚତୁରୀ ଓ ସୁନ୍ଦରୀ ମା ଭଳି ।
ସୁବୋଧ ପିଲାଦୁହିଁଙ୍କୁ ଘଡିଏ ନଦେଖିଲେ ବଣା, ଭାରି ଆଦର ଯତ୍ନ ।
ଜେଜେମା ଓ ସୁମିର ଚାରିପଟେ ପିଲାମାନେ ପ୍ରଜାପତି ଭଳି ଦିନରାତି ଘୁରି ବୁଲୁଥାନ୍ତି । ଛନଛନିଆ ଦୁଇଟି ପରୀ ଯୋଗୁଁ ଅଗଣାଘରର ଶୋଭା ଦ୍ବିଗୁଣିତ ଦିଶୁଥାଏ । ହେଲେ କାହିଁକି କେଜାଣି ଦାସେ ହରସ ନଥିଲା ପରି ଲାଗେ ସୁମିକୁ ।
ସେ ଯାଣେ ଶ୍ବଶୁରଙ୍କର ପୁଅ ପ୍ରତି ଭାରି ଆସକ୍ତି, ତାଙ୍କ ମତରେ ପୁଅ ନଥିଲେ ନାଁ ନାହିଁ। ପିଣ୍ଡପାଣି କିଏ ଦେବ, ସପ୍ତପୁରୁଷକୁ ଉଦ୍ଧାରିବ କିଏ ? କେମିତି ପୁଅ ନଥିଲେ ମୋକ୍ଷ ଯିବେ ? ଅଂଶ କେମିତି ରହିବ ଓ ବୃଦ୍ଧ ସମୟରେ ସେବାଯତ୍ନ କିଏ କରିବ ? ଏପରି ଅନେକ କଥା କୁହନ୍ତି ! ଯେତେ ଝିଅ ଥିଲେ କ’ଣ ହେବ! ପୁଅଟିଏ ନିହାତି ଦରକାର, ମଝିରେ ମଝିରେ ପାଟି ଖୋଲି କହିପକାନ୍ତି । ଏସବୁ କଥା ସୁମିକୁ ବାରବାର ଶୁଣିବାକୁ ଭଲଲାଗେନି, କେତେ ଦିନ ଅବା ଚୁପ୍ ରହିବ ।
ଦିନେ ଶ୍ବଶୁରଙ୍କ ପାଖକୁ ଯାଇ କହିବାକୁ ସାହାସ କଲା
ନନା ଆପଣ ଅନୁମତି ଦେଲେ ମୁଁ କିଛି କହିଥାନ୍ତି ?
ଅନୁମତି କ’ଣ ଦରକାର ମୋ ଝିଅର ଅଧିକାର ନେଇ କହ । କ’ଣ କହୁଛୁ ।
ମୋର ଅନୁମାନ ଯଦି ଠିକ୍ ହୁଏ ,କିଛି ଦିନ ହେବ ଆପଣଙ୍କ ମନ ରେ କିଛି ଅଭାବ ପରିଲକ୍ଷିତ ହେଉଛି ,ତାର ଏକମାତ୍ର କାରଣ ମୋର ପୁଅ ଟିଏ ନାହିଁ ଏକଥା ସତ, ମୁଁ ଜାଣି ପାରୁଛି ନନା ।ହେଲେ କାହିଁକି …?
ଝିଅମାନେ ପୁଅମାନଙ୍କଠାରୁ କୌଣସି ଗୁଣରେ କମ୍ କି ??
ଭାବିଲେ ଦେଖି ଦୁଷ୍ଟନଷ୍ଟ ଅଯୋଗ୍ୟ ପୁଅରୁ ଗୁଡାଏ ଥାଇ ଲାଭ କ ‘ଣ ? ସଂପତ୍ତି ଉଡିବା ସହିତ ସବୁବେଳେ ମାନସିକ ଚାପରେ ଦିନ କଟିବ । ବରଂ ଭଲ ଗୋଟିଏ ଝିଅ ଯଦି ଉତ୍ତମ ସଂସ୍କାର ସଂଠଣାଯୁକ୍ତା ଥାଏ ।ତାକୁ ପାଠପଢାଇ ମଣିଷ କରିପାରିଲେ, ସେ ଦୁଇକୂଳକୁ ଉଦ୍ଧାରି ପାରିବ ସମସ୍ତଙ୍କ ମନ ବୁଝିପାରିବ, ପୁଣି ମଣିଷ ପରି ମଣିଷ ଟିଏ ହୋଇ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହେବ । ପରିବାର ଓ ଅଫିସ କାମ ସମ୍ଭାଳି ନେବ, ପିଲାଙ୍କୁ ଶିକ୍ଷାଦୀକ୍ଷା ଦେଇପାରିବ ।
ତେଣୁ କହିଲେ ଦେଖି ଝିଅପୁଅ ଭିତରେ ପ୍ରଭେଦ କ’ଣ ? ଆପଣ ଦେଖିଲେ ଆପଣଙ୍କ ପୁଅ କେତେ ବାଳୁଙ୍ଗା ଥିଲେ, ମୁଁ ତ ଝିଅଟିଏ ହୋଇ ତାଙ୍କୁ ବାଟକୁ ଆଣିପାରିଲି ।
ହଁ ନନା ମୁଁ ଆପଣଙ୍କୁ ନଜଣାଇ ଫର୍ମ ପକାଇଥିଲି । ସୌଭାଗ୍ୟ କ୍ରମେ ମୋର ସିଲେକ୍ସନ ହୋଇଯାଇଛି, ଆପଣ ଅନୁମତି ଦେଲେ ଆସନ୍ତା ଏକ ତାରିଖରେ ଶିକ୍ଷୟିତ୍ରୀ ପଦରେ ଜଏନ୍ କରିବି । ମୋ ମତରେ ବସିବା ଅପେକ୍ଷା କର୍ମ କରିବା ଭଲ, ମୁଁ କଥା ଦେଉଛି ଘରକାମ ସହ ବାହାର କାମ ସୂଚାରୁ ରୂପେ ତୁଲାଇ ପାରିବି ।
ଝିଅପୁଅ ଭିତରେ ଯେଉଁ ପ୍ରଭେଦ ଆପଣଙ୍କ ମନରେ ବସା ବାନ୍ଧିଛି ଯଥାଶୀଘ୍ର ଦୂରେଇ ଦିଅନ୍ତୁ ନନା, ସମସ୍ତଙ୍କର ମଙ୍ଗଳ ହେବ । ପୁଅକୁ ଯେତିକି ଝିଅକୁ ସେତିକି ସମାନ ସ୍ନେହ କରନ୍ତୁ । ମୃତ୍ୟୁ ବେଳକୁ ପୁଅ ଯଦି ମୁଖାଗ୍ନି ଦେଇପାରୁଛି, ଝିଅ ମଧ୍ୟ ଦେଇପାରିବ ନନା, ଆମେ ସବୁ ସମ୍ଭବ କରିପାରିବା । ଏସବୁ ଆମ ଉପରେ ନିର୍ଭର । ଯଦି ଆମେ ଝିଅମାନଙ୍କୁ ଏତେ ହେୟ ଭାବିବା ସେମାନେ କ’ଣ ଭାବିବେ । ଝିଅ ନରହିଲେ ସଂସାର ଚାଲିବ କେମିତି ?
ସବୁ ଶୁଣି ସାରିଲା ପରେ ଦାସଙ୍କ ଆଖିରୁ ଲୁହ ଆସିଗଲା । ହଁ ରେ ମା ତୁ ଠିକ୍ କହିଛୁ ଏତେ ଦିନପରେ ମୋ ଆଖି ଖୋଲିଦେଲୁ । ଯେଉଁ ଅନ୍ଧବିଶ୍ବାସ ମୋ ମନରେ ବସା ବାନ୍ଧିଥିଲା ତାକୁ ତୁ ସଫା କରିଦେଲୁ । ହଁ ହଁ ପୁଅଝିଅ ସଭିଏଁ ସମାନ ସଭିଏଁ ପଢିବେ ସଭିଏଁ ବଢିବେ । ସଭିଏଁ ସମାନ ଅଧିକାର ଓ ସ୍ନେହ ପାଇବେ ।
ଠିକ୍ କଥା ଠିକ୍ କଥା ମୁଁ ଏଥର ଗାଁ ସାରା ସେଇକଥା କହିବି ।
ହଁ ତୁ ଚାକିରୀ କର ସ୍ବାବଲମ୍ବୀ ହୁଅ ଆଉ ଅଟକାଇ ଘରର ପରିଧି ଭିତରେ ରଖିବାକୁ ଦେବିନି ।
କିଛି ଦିନପରେ ….
ଶୁକୁଟା, ଗୋବରା, ରାମ, ସଂବାରିଆ ଆସି କହିଲେ ଆଜ୍ଞା ଜେଜେ,
କ’ଣ ହେଲା କିରେ ସକାଳୁ ସକାଳୁ ତମେ ସବୁ?
କଥା କ’ଣ କି ଆଜ୍ଞା, କିଛି କହିବୁ କହିବୁ ହେଇକି ଆଜି କହୁଚୁ ଶୁକୁଟା କହିଲା, ଆପଣଙ୍କ ବୋହୁମା’ ଗାଁ ଇସୁକୁଲରେ ପଢେଇବା ଦିନଠୁ ପିଲେ ଆଉ ଅବୁଝା କି ବାଳୁଙ୍ଗା ନହୋଇ ପାଠ ପଢାପଢିରେ ମନ ଲଗେଇଲେଣି । ବାପାମାକୁ ଭାରି ମାନୁଛନ୍ତି । ଯାହା କୁହ ଆଜ୍ଞା ଆମ ଗାଁକୁ ସାକ୍ଷାତ ଲକ୍ଷ୍ମୀ ଆଉ ସରସ୍ବତୀ ଆସିଛନ୍ତି ଏ କଥା ଆମେ କହୁନୁ ଗାଁ ସାରା ଲୋକ କହୁଛନ୍ତି । ବୋହୁମା’ର ପ୍ରଶଂସା ପିଲାରୁ ବୁଢା ଯାଏଁ କରୁଛନ୍ତି । ଗାଁର ଭେଣ୍ଡାପିଲେ ସବୁ ଭଲ କଥା ଶିଖିଲେଣି । ଯେତେ ମଦ ପିଉଥିଲେ ତାଙ୍କ ଭାରିଯାମାନେ ବୁଝେଇ ଭଲ ବାଟକୁ ଆଣିଲେଣି । ପିଲାଙ୍କୁ କେମିତି ପଢାଯିବ ବାପମା ମୁଣ୍ଡରେ ଚିନ୍ତାପଶିଲାଣି । ଶାଶୁଶ୍ବଶୁରଙ୍କ ସେବାରେ ବୋହୁମାନେ ଧିଆନ ଦେଲେଣି। ସବୁ ପରା ବୋହୁମା’ ଠୁ ଶିଖିଲେଣି । ଅନ୍ୟମାନେ କଥା ମଝିରେ ମଝିରେ ସନ୍ମତି ଜଣାଇ ହଁ କରୁଥାନ୍ତି ।
ଦାସେ କହିଲେ ସବୁ ସେ ପ୍ରଭୁଙ୍କ ଇଛା । ଗୋ, କନ୍ୟା, ଭୂମି ଭାଗ୍ୟରେ ଥିଲେ ମିଳେ ।
ହଁ ସମସ୍ତେ ସମସ୍ତଙ୍କ ଠିକ୍ କଥାକୁ ସମ୍ନାନ ଦେବା ବୁଝିବିଚାରି କାମ କଲେ ପରିବାର ହସିବ ।
ହେଲେ ଆଜ୍ଞା ସେ କଥା ସତ ଯେ ବୋହୁମା’ ଏଡେ ଶିକ୍ଷିତ ସୁନ୍ଦର ହୋଇ ଏତେ ଧନସଂପତ୍ତି ଥାଇ ସେ କେତେ ଶାନ୍ତସରଳ କହିଲେ ହବନାଁ । ମକରା କହିଲା।
ମିଶ୍ରେ କହିଲେ, ସବୁ ସେହି ନିତି ଆଦର୍ଶ କଥା । ସେଥିଲାଗି ଗାଁ ସାରା ଦେଖ ଭଲ ପ୍ରଭାବ ପଡିଲାଣି ।
ତିଆଡି ବୁଢା କି ଛାଡିବେ ମଝିରେ ପଶି ପାକୁଆ ପାଟିରେ କହିପକାଇଲେ, ଧନ୍ୟକହିବ ତା ବାପାମା’କୁ ଝିଅକୁ ଉପଯୁକ୍ତ ସଂସ୍କାର ଓ ସଂଠଣା ଶିଖେଇଛନ୍ତି ନାଁ ॥

ଶ୍ରୀ ବିହାର, ନୟାଗଡ (୯୪୩୮୩୬୯୨୯୭)

Related posts