ନବୀନ ଆସିବେ ନୟାଗଡ଼, ବିଜେଡ଼ିର ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ନିମନ୍ତେ ସବୁ ମହଲରେ ଉତ୍ସାହ ଦେଖାଯାଇଛି । ଆସନ୍ତା ୨୨ ତାରିଖ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଗସ୍ତ କରିବେ । ନୟାଗଡ଼ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଛାତ୍ର, ଯୁବ, ମହିଳା, ବିଜୁ ଶ୍ରମିକ ସାମୁଖ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଯିବୀ, ସମାଜସେବୀ ଓ ସମସ୍ତ ବର୍ଗର ନେତୃମଣ୍ଡଳୀଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଥମେ ସମସ୍ତ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁଚନା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ କିପରି ଲୋକମାନେ ସ୍ୱତପ୍ରବୁତ୍ତ ଭାବେ ଆସିବେ ସେଥି ନିମନ୍ତେ ଆଲୋଚନା କରିଥିଲେ । ମହିଳା ମାନଙ୍କୁ ଅଧୀକ ଫୋକସ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିଜୁଳି ବିଲ ଛାଡ଼ ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସାରା ଭାରତ ବର୍ଷରେ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ସମସ୍ତ ସଙ୍ଗଠନ ମାନେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରଚାର ପ୍ରସାର କରିବା ପାଇଁ ଡ. ସାହୁ ପ୍ରକାଶ କରିଥିଲେ ।

ଆଜିର ଏହି ବୈଠକରେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ଓ ବିଭିନ୍ନ ପଞ୍ଚାୟତର ନେତ୍ରୀ ମଣ୍ଡଳୀ ମାନେ ଯୋଗ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ସମସ୍ତ ସାଙ୍ଗଠନିକ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।

Related posts