ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନମଣ୍ଡଳୀର ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତରେ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହା ସହ ଏନ୍ଏସି ଅଞ୍ଚଳରେ ବ୍ୟାପକ କାର୍ଯ୍ୟ ହୋଇଥିବା ବିଧାୟକ ପ୍ରାର୍ଥୀ ଅରୁଣ ସାହୁ କହିଛନ୍ତି। ଆଜି ଓଡ଼ଗାଁ ସହରର ବିଭିନ୍ନ ସାହି ବୁଲି ଜୋର୍ଦାର୍ ପ୍ରଚାର ଆରମ୍ଭ କରିଛନ୍ତି। ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ଯ୍ୟ କରିବା ମୋର ଏକ ନିଶା ବୋଲି କହିଥିଲେ।

ଏହି ବିଜୟ କେବଳ ମୋର ହେବନାହିଁ,ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ ବୋଲି କହିବା ସହ ଦିନେ ଓଡ଼ଗାଁ ଏକ ଗାଁରେ ପରିଣତ ହୋଇଥିଲା କିନ୍ତୁ ଆଜି ଓଡ଼ିଶା ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସୂଚାଇଛନ୍ତି।ଠିକ ସେହିପରି କୌଣସି ବିକାଶମୂଳକ କାର୍ଯ୍ୟକୁ ଯେପରି କଷ୍ଟ ସ୍ୱୀକାର କରି ନିର୍ମାଣ କରାଯାଇଥାଏ,ସନ୍ତାନକୁ ଜନ୍ମ ଦେଇଥିବା ମା’ହିଁ ବୁଝିପାରିବ।ଏବଂ ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ।ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇଦେବେ ଓ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବେ ବୋଲି କହିଥିଲେ ଅରୁଣ।

ଅନ୍ୟପକ୍ଷେ ବିରୋଧୀଙ୍କ ଲଢେଇ ମୋ ବିରୁଦ୍ଧରେ ହୋଇଥିବାବେଳେ ମୋର ଲଢେଇ ନୟାଗଡ଼ର ସମସ୍ୟା ବିରୁଦ୍ଧରେ ଓ ଓଡ଼ଗାଁର ଉନ୍ନତି ପାଇଁ ମୋର ଲଢେଇ ଜାରି ରହିବ ବୋଲି କହିଥିଲେ।ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଓଡ଼ଗାଁ ଏନଏସି ଅନ୍ତର୍ଗତ କୁମ୍ଭୀଆପଲ୍ଲୀ, ପାଇକ ସାହି, ଖଜୁରିଆ, କୁମ୍ଭାର ସାହି, ଖାଡିତେଲି ସାହି, ଶ୍ରୀରାମ ନଗର, ସୀତାକୁଣ୍ଡ ଗଳି, ବିଜୟମଣ୍ଡପ ସାହି, ତୋଟା ସାହି, ଖେଳପଡିଆ ସାହି, ଶିଳ୍ପୀନଗର ସାହି, ଗାନ୍ଧୀ ନଗର ସାହି, ନିତ୍ୟାନନ୍ଦ ସାହି, ଶିକ୍ଷକ ଗଳି, ଗୁପ୍ତମଠ ସାହି ଓ ଦଲକ ଅଞ୍ଚଳରେ ଜୋରଦାର ପ୍ରଚାର କରିବା ସହ ବିଭିନ୍ନ ସଭା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ରଖିଛନ୍ତି।ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି ବୋଲି ପ୍ରକାଶ କରିଛନ୍ତି। ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି। ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ସୂର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁ, ବିଜନ ପାଇକରାୟ, ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ସମସ୍ତ ଗ୍ରାମର ଆଗଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।