ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ପରିବର୍ତ୍ତନ ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଆଜି ପୂର୍ବାହ୍ନରେ ଦାବି କରାଯାଇଥିଲା। ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ତୁରନ୍ତ ବିଦ୍ୟାଳୟ ସମୟ ପରିବର୍ତ୍ତନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଦିନ ସାଢ଼େ ୧୧ଟା ବେଳେ ବିଦ୍ୟାଳୟ ଛୁଟି ହେଉଥିବାରୁ ପ୍ରବଳ ଖରାରେ ପିଲାମାନେ ଘରକୁ ଫେରୁଛନ୍ତି। ଫଳରେ ଅଂଶୁଘାତ ତଥା ଡିହାଇଡ୍ରେସନ ସମସ୍ୟାରେ ଅଧିକାଂଶ ପିଲା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚିଠି ନଂ ୨୯୭୦ ଅନୁସାରେ ୪ ତାରିଖରୁ ବିଦ୍ୟାଳୟ ସମୟ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନାଗରିକ ମଞ୍ଚର ଦାବି ପରେ ବଦଳିଲା ସ୍କୁଲ ସମୟ
