ବରିଷ୍ଠ ସ୍ତମ୍ଭାକାର ତଥା କବି ଦିଲ୍ଲୀପ କୁମାର ସାହାଣୀଙ୍କ ‘ଛିନ୍ନ ସମ୍ପର୍କ’
ପନ୍ଦର ଦିନ ହେଲାଣି ସମ୍ପର୍କ ଆଉ ନାହିଁ । ଏତେ ସହଜରେ ସମ୍ପର୍କଟା ଛିନ୍ନ କରିବ ବୋଲି ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲା । ସମ୍ପର୍କ କେବେ କାହା ସହିତ କେମିତି ଗଢି ହୁଏ ଯେମିତି କହିହୁଏ ନାହିଁ ସେମିତି ସମ୍ପର୍କ କେବେ କାହାଠାରୁ କେମିତି କେତେବେଳେ ଛିନ୍ନହେବ କହିବା ସମ୍ଭବ ନାହିଁ। ଏହା ଭାବିବା ବେଳେ ଛାତି ଭିତରେ କେଉଁଠି ଅସମ୍ଭବ ଭାବେ ଯନ୍ତ୍ରଣା ହେଉଛି ଠିକ୍ସେ ଜାଣି ପାରୁ ନଥିଲା ଦିବ୍ୟଶଙ୍କର ।
ସେ ଟିକିଏ ଆରାମ ପାଇବା ପାଇଁ ବାଲକୋନି ଉପରକୁ ଆସିଲା। ମୁଣ୍ଡ ଉପରେ ଖୋଲା ଆକାଶ ଛାତିରେ ମଲ୍ଲୀ ଫୁଲପରି ତାରାମାନେ ହସୁଥିଲେ । ତା’କୁ ଖୁବ ଖୁସି ଲାଗିଲା । ଏଇଠି କିଛି ମୁହୂର୍ତ୍ତ ବସିଗଲେ ଯନ୍ତ୍ରଣାଟା କିଛି ମାତ୍ରାରେ ଉପସମ ହେଇଯିବ ପରା ! ସେ ସେଇ ଖୋଲା ଆକାଶ ତଳେ ସୁଲୁ ସୁଲିଆ ପବନରେ ଆରାମ ନେବାପାଇଁ ଝୁଲନ୍ତା ଦୋଳିରେ ବସି ପଡ଼ିଲା । ବାଃ କେଡ଼େ ଆରାମ ଲାଗୁଛି । ପବନରେ ଆଖିଟା ଧିରେ ଧିରେ ବୁଜି ହୋଇ ଆସୁଛି।
ତା’ ମନ ଆଇନାରେ ଭାସି ଉଠିଲା ବାଲ୍ୟ ଜୀବନର ଅପାଶୋରା ଛବି । ଗାଁ ପାଣି ପବନରେ ବଢିଥିବା ପ୍ରତ୍ୟେକ ପାହାଚର ଅଭୁଲା ସ୍ମୃତି । ସେ ଦେଖି ପାରୁଥିଲା ତା’ ବାଲ୍ୟବନ୍ଧୁ ମାନଙ୍କ ସହିତ ଗାଁ ଆମ୍ବତୋଟା ତଳେ ଘଣ୍ଟା ଘଣ୍ଟା ଧରି ଖେଳିବା । ଟେକା ଫୋପାଡ଼ି କଞ୍ଚା ଆମ୍ବ ତୋଳି ଖାଇବା । ତା’କୁ ଦେଖି ଏବେ ମଧ୍ୟ ପାଟିରୁ ଲାଳବୋହି ଆସୁଛି। ସେମାନେ ଆଗରୁ କିଏ କେଉଁ କାମ କରିବ ଭାଗ ବାଣ୍ଟି ଦେଇଥା’ନ୍ତି। ସମସ୍ତଙ୍କୁ ଟେକା ଫୋପାଡ଼ି ଗଛରୁ ଆମ୍ବ ତୋଳିବା ଆସେ ନାହିଁ। କେବଳ ବିପ୍ରକୁ ଆସେ। ଚଇତନର କାମହେଲା ଟେକା ଓ ଛୋଟ ଛୋଟ ଓଜନିଆ ଡାଙ୍ଗ ସଦ୍ୟ ଶାଳବୁଦା କାଟି ସଂଗ୍ରହ କରିବା । ପ୍ରଭାତର କାମଥିଲା ଗଛରୁ ଆମ୍ବ ପଡ଼ିଲେ ଗୋଟେଇ ଆଣି ମୁଣିରେ ରଖିବା ଆଉ ତା’ କାମ ଥିଲା ଲୁଣ ଓ ଲଙ୍କା ମରିଚକୁ ଗୁଣ୍ଡ କରି ଆଣିବା । ବିପ୍ରର ଅଣ୍ଟିରେ ସବୁବେଳେ ଗୋଟିଏ ମୋଟା ସୂତାରେ ଫୋଲ୍ଡିଙ୍ଗ ଛୁରିଟିଏ ବନ୍ଧାହୋଇ ଝୁଲୁଥାଏ। ବିପ୍ରର କାମ ସବୁବେଳେ ଅପରିବର୍ତ୍ତିତ ଥାଏ କାରଣ ତା’କୁ ଛାଡି ଦେଲେ ଆଉ କାହାର ଟେକା ଆମ୍ବରେ ବାଜେ ନାହିଁ । ବାକି ଅନ୍ୟମାନଙ୍କର ମଝିରେ ମଝିରେ ପରିବର୍ତ୍ତନ ହୁଏ। ଆମ୍ବ ତୋଳି ସାରି ତା’କୁ ନେଇ ଯାଇ ଏକାଠି ବସି ଆମ୍ବକୁ ଛୁରୀରେ ଚାଞ୍ଛି ଲୁଣ ଲଙ୍କାରେ ମଡେଇ ଖାଆନ୍ତି ସେମାନେ । ସମସ୍ତଙ୍କ ପାଟି ନାକ ଆଖି ବଙ୍କା ହେଇଯାଏ ଆମ୍ବର ଆମ୍ବିଳା ସ୍ବାଦରେ । ପାଟିରୁ ଲାଳ ବୋହୁ ଥାଏ ଓଃ ସେ କି ଅନୁଭୂତି ! ଆଉ ଭାବି ହୁଏନି ।
ଗାଁ ତୋଟାରେ ଥିଲା ଚିନି,ଗୁଡ଼, ବେଲ ଓ କଦଳୀ ଆମ୍ବ । ସେଗୁଡାକର ସ୍ବାଦବି ସେମାନଙ୍କ ନାମ ଅନୁଯାୟୀ । ଆମ୍ବ ପାଚିଲା ବେଳକୁ ଦିନ ତମାମ ଗାଆଁଟା ଯାକର ପିଲା ଆମ୍ବ ତୋଟା ତଳେ ବାଲିରେ ଗଡୁଥା’ନ୍ତି । ଆମ୍ବଟିଏ ପଡିଲେ ଦୌଡ଼ି ଯା’ନ୍ତି ଗୋଟାଇବା ପାଇଁ । ଆମ୍ବ ଗୋଟାଇବା ପାଇଁ ଏକ ରକମର ପ୍ରତିଯୋଗିତା ଯେମିତି ହେଇଯାଏ ସେମାନଙ୍କ ମଧ୍ୟରେ । ଯିଏ ଚାଲାକ ଓ ଦୌଡ଼ିବାରେ ଓସ୍ତାଦ ସେ ସବୁଆମ୍ବ ଗୋଟାଇ ନେଇ ଯାଏ। ସେଥିପାଇଁ ସେମାନେ ଚାରି ସାଙ୍ଗ ଏକତ୍ର ମିଶି ଆମ୍ବ ଗୋଟାନ୍ତି । ସାଙ୍ଗ ହୋଇ ଖାଆନ୍ତି ଓ ଘରକୁ ନେଇ ଯାଆନ୍ତି । ଗାଆଁରେ ଥିଲା ବେଳେ କେତେ ଯେ ଆମ୍ବ ସେ ନ ଖାଇଛି ତା’ ସାଙ୍ଗ ମେଳରେ ! ଏବେ କ’ଣ ସେ ବେଳ ଅଛି ନା ବୟସ ଅଛି ଖାଇବାକୁ।
“ତମେ କ’ଣ ଏବେ ଖାଇବନି କି”, ପ୍ରଶ୍ନ କଲେ ଛାୟା ଦେବୀ ସନ୍ଧ୍ୟା ବେଳଠାରୁ ଏଠାରେ ମୁନିଋଷିଙ୍କ ଭଳି ବସି କ’ଣ କରୁଛ ଯେ ? ଏ ଦୋଳି ଖଣ୍ଡିକ ଯଦି ନ ଥା’ନ୍ତା କ’ଣ ଯେ କରିଥା’ନ୍ତ ତମେ ଏ କରୋନା କାଳରେ ! ରାତି ଦଶ ବାଜିଲାଣି । ଆସ ଖାଇବ । ନିଅ ଏ ମେଡିସିନ ଆଗ ଖାଇଦିଅ । ପାଣି ଗ୍ଲାସଟା ଟିପୟ ଉପରେ ରଖିଲି ।” ଖାଇବାକୁ ବାଢ଼ିବା ପାଇଁ ଚାଲି ଗଲେ ଛାୟା।
ସମ୍ବିତ ଫେରି ପାଇଲେ ଦିବ୍ୟଶଙ୍କର । ସତରେ ସନ୍ଧ୍ୟା ବେଳୁ ଏଠାରେ ବସି କ’ଣ କରୁଥିଲା ସେ। ମୁଣ୍ଡ ଉପରକୁ ଅନାଇଲା । ଆକାଶରେ ତାରାମାନେ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିସାରିଲେଣି । ପୂର୍ବାପେକ୍ଷା ଆକଶରେ ଅଧିକ ତାରା ମାନଙ୍କର ଦୃଶ୍ୟ ହେଲାଣି ।
ଭିତରୁ ଶୁଭିଲା ଛାୟାଙ୍କ ପାଟି, “ଔଷଧ ଖାଇଲଣି ନା ନାହିଁ ?”
” ଯାଉଛି,ଯାଉଛି ,” ସେ ଭିତକୁ ଗଲା । ଡାଇନିଂ ଟେବୁଲରେ ଖାଦ୍ୟ ବାଢ଼ି ଅପେକ୍ଷା କରି ଥିଲେ ଛାୟା । ଦିବ୍ୟଶଙ୍କର ଖାଇବାରେ ଯୋଗ ଦେଲା ।
ଦିବ୍ୟଶଙ୍କରକୁ ଲାଗୁଥିଲା ସେ ଯେମିତି ଅବସର ନେଇ ସାରିଲାଣି । କରୋନା ଘରୁ ବାହାରକୁ ଯିବାକୁ କାହାକୁ ଛାଡୁନି । କହୁଛି ,” ଘରେ ବସ ଖାଅ ପିଅ ନିଜକୁ ସୁସ୍ଥ ରଖ । ସବୁ ଗୋଡ଼ ତଳକୁ ଆସିବ ଚିନ୍ତା କରନି ।” ସେ ଆଜି ନିଜ ଘରେ ବନ୍ଦୀ । ଖାଲି ସେ ନୁହଁ ତା’ଭଳି ବିଶ୍ବର ସକଳ ମାନବ ସମାଜ । ଏବେ ଯୁଦ୍ଧର ସଗ୍ୟାଂ ବଦଳି ଯାଇଛି । ଅଦୃଶ୍ୟ କରୋନା ସହିତ ଲଢେଇ କରିବା କୁ ହେଲେ ଘରେ ମୁଖା ବାନ୍ଧି ବସ । ଦେଖିବ ସେ ତୁମକୁ ଭୟକରି ପଳାୟନ କରିବ । ତେଣୁ ସେ ଆଜି ନିର୍ଭୟରେ ଘରେ ବସିଛି।
ସକାଳର ଖବର କାଗଜ ପଢା ଓ ଚା’ ପର୍ବଟା ଆରମ୍ଭ ହୁଏ ଦୋଳିରୁ ପୁନଶ୍ଚ ଶେଷହୁଏ ଛାୟା ଦେବୀଙ୍କ ଡିନର ପାଇଁ ଡାକରାରୁ । ଦ୍ୱିତୀୟ ଲହର କରୋନା ଆରମ୍ଭ ଦିନଠୁ ସେଇ ସ୍ଥାନଟି ପଲଟି ଯାଇଛି ତା’ର କର୍ମକ୍ଷେତ୍ର । ସେ ଏବେ ଓ୍ବାର୍କ ଫ୍ରମ ହୋମ କରୁଛି । ଘରେ ବସି ଦରମାଟା ତା’କୁ ମିଳୁଛି । ଚିନ୍ତା ନାହିଁ। ଖାଲି ଗୋଟିଏ ଚିନ୍ତା ବସି ବସି ଗୋଡ଼ ଜାମ ଧରିଲାଣି । ପକ୍ଷୀ ଭଳି ଖୋଲା ଆକାଶରେ ବୁଲା ବୁଲି କରିବା ଏକମାତ୍ର ଚିନ୍ତା ସମସ୍ତଙ୍କର ।
ଏବେ ଖବର କାଗଜ ଆଣିବା ପାଇଁ ତା’କୁ ଯିବାକୁ ପଡୁନି ତଳକୁ । ଖବର କାଗଜ ବୟଟା ସାଇକେଲ ଉପରେ ବସି କାଗଜକୁ ଏମିତି ଢଙ୍ଗରେ ଫିଙ୍ଗି ଦେଉଛି ଯେ ସେଇଟା ସିଧା ଆସି ତା’ ହାତରେ ପଡୁଛି। ସାତଟା ବାଜିଥିବକି ନା ପରିବା ବାଲା, ଫଳବାଲା, କ୍ଷୀର ବାଲା ସମସ୍ତେ ପହଞ୍ଚି ଯାଉଛନ୍ତି ତା’ ଗେଟ ପାଖରେ । ଚା’ ପିଉପିଉ ଖବର କାଗଜରେ ଆଖି ବୁଲାଉ ଥିଲା ସେ । ଅଟକି ଗଲା ଏକ ଶିରୋନାମାରେ। ଲେଖା ଥିଲା ” ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ପୁନଶ୍ଚ ଲକ୍ ଡାଉନ ଅବଧି ପନ୍ଦର ଦିନ ବୃଦ୍ଧି କରାଗଲା ” ତା ମୁଣ୍ଡଟା ପୁଣି ଘୁରିବାକୁ ଲାଗିଲା । ମଣିଷ ଭାବୁଥିଲା ଲକ୍ ଡାଉନ ଖୋଲିଲେ କୁଆଡ଼େ ଏକ ଲମ୍ବା ରାସ୍ତାରେ ଘେରାଏ ବୁଲି ଆସିବାକୁ । ସବୁ ବେକାର ହେଇଗଲା ।
ଛାୟା ଦେବୀ କାଢା ଆଣି ଟି’ପୟ ଉପରେ ରଖିଲେ। ” ନିଅ ଗରମ ଗରମ ପିଇ ଦିଅ ଏହା ପରେ ଔଷଧ ଆଣି ଦେବି । ଭୁଲି ଗଲଣି ଡାକ୍ତର କ’ଣ କହିଥିଲେ ? ଔଷଧ ଠିକ ସମୟରେ ନ ଖାଇଲେ ତା’ର କିଛି ମୂଲ୍ୟ ନାହିଁ । ତୁମର ସୁଗାର ଲେବୁଲ ଏତେ ହାଇ ହେଇ ଯାଇଛି ଯେ ତୁମକୁ ଖାଦ୍ୟ ଖାଇବା ରେସଟ୍ରିକ୍ଟ
କରିବାକୁ ହେବ । ମିଠା ଜାତୀୟ ଖାଦ୍ୟ ସମ୍ପୂର୍ଣ୍ଣ ନିଷେଧ । ପେଟ ଭର୍ତ୍ତି ଖାଇବ ନି ଇତ୍ୟାଦି ଇତ୍ୟାଦି । ସେ ମଧ୍ୟ ସ୍ବତନ୍ତ୍ର ଭାବେ ମନା କରିଛନ୍ତି ଏଇ ଦୁଇମାସ ତା’କୁ ପାଚିଲା ଆମ୍ବ ସମ୍ପୂର୍ଣ ନିଷେଧ ।”
ହତାଶ ଦୃଷ୍ଟିରେ ଛାୟାଙ୍କ ମୁହଁକୁ ଚାହିଁଲା ଦିବ୍ୟଶଙ୍କର । ” କେବଳ ଦୁଇ ମାସ କାହିଁକି ସବୁଦିନ ପାଇଁ ଛାଡି ଦେବି । ଖାଇବି ନି ଆମ୍ବ । ଛିନ୍ନ କରିଦେବି ସମ୍ପର୍କ । ଆଗେ ଜୀବନ ତା’ପରେ ଆମ୍ବ । ଜୀବନ ଥିଲେ ସିନା ଆମ୍ବ ଖାଇବାକୁ ମନ କରିବ ମୃଳରୁ ନ ଖାଇଲେ କାମ ସରିଲା । ସେ ଆମ୍ବ ଖାଇବନି ମାନେ ଖାଇବ ନି ।” ସେ ଦିନ ସେ ଆମ୍ବ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରି ଦେଲା । ସମସ୍ତଙ୍କୁ କହିଦେଲା,” ଏ ଘରକୁ ଆଉ କେବେ ଆମ୍ବ ଆସି ବ ନାହିଁ ।” ଅନ୍ୟ ସଦସ୍ୟ ମାନଙ୍କ ଘୋର ବିରୋଧ ହେଲା ଯେ ତାଙ୍କୁ ସିନା ସୁଗାର ହେଇଛି ବୋଲି ସେ ଖାଇବେନି ହେଲେ ଅନ୍ୟମାନେ ଖାଇବାରେ କ’ଣ ଅସୁବିଧା ? ଏହାପରେ ସେ ତା’ ନିଷ୍ପତ୍ତିର ସାମାନ୍ୟ ପରିବର୍ତ୍ତନ କରି କହିଲା, ” ଆମ୍ବ କିଣା ଯାଇ ପାରେ ମାତ୍ର ତା’ ଆଗରେ କିଏ ଖାଇପାରିବେ ନାହିଁ।” ସେଇଦିନୁ ତା’ର ଅତି ପ୍ରିୟ ଆମ୍ବକୁ ମନରୁ ପାଶୋରି ଦେଲା ଦିବ୍ୟଶଙ୍କର ।
ଏମିତି ଏକ ସକାଳରେ ଛାୟା ଚା’ ଦେଇ ଗଲେ । ସେ ଚା’ର ରଙ୍ଗ ଦେଖି ଚମକି ଗଲା । ଚା’ଟା ରଙ୍ଗ ପରିବର୍ତ୍ତନ କରି ସାରିଛି । ଛାୟା ତା’ହେଲେ ଗୋଟାପଣେ ଡାକ୍ତରଙ୍କ ସବୁ ଉପଦେଶ ପାଳନ କରୁଛନ୍ତି । କ୍ଷୀର ଚା’ରୁ ଏବେ ନାଲି ଚା’ ଅବଶ୍ୟ ଅଦା ଗୋଲମରିଚ ଓ ଗୁଜୁରାତି ପଡ଼ିଥିବା ପରି ଜଣା ପଡୁଛି ।
“ପିଇ କି ଦେଖ କେମିତି ଲାଗୁଛି ।” କହିଲେ ଛାୟା ।
ଆରେ ଚା’ ଟେଷ୍ଟ ତ ପୁରା ପରିବର୍ତ୍ତନ । ଯେଉଁ ସୁଗାର ଟାବ୍ଲେଟ ସେ ଚା’ରେ ପକାଇ ପିଅନ୍ତି ତା’ତ ପଡ଼ିନି । ଏ କ’ଣ ଚା’ରେ ଲୁଣ ପକାଇଛ ଛାୟା ?
“କ’ଣ, ଭଲ ଲାଗୁନି ?”
ହଁ, ଭଲ ଲାଗୁଛି ହେଲେ…
” ଆଜି ଠାରୁ ତମେ ସେଇ ଚା’ ହିଁ ପିଇବ ।” କଠୋର ବାଣୀ ଶୁଣାଇ ଦେଲେ ଛାୟ ଦେବୀ ।
ୟାରି ଭିତରେ ଚା’ ପିଆ ଅଭ୍ୟାସ ହେଇ ଗଲାଣି ତା’ର । ଖବର କାଗଜ ହାତରେ ଉଠାଇ ଦୃଷ୍ଟି ବୁଲାଇଛି କି ନାହିଁ ଫଳ ବିକାଳି ଡାକ ପାରିଲା, ” ଆମ୍ବ ନେବ ଆମ୍ବ । ବାଇଗଣପଲି, ତୋଟାପଲି, ଦୋସରି, ଆଖୁ ରସ, ସୁନ୍ଦୁରୀ ,ନୀଲମ , ଲେଙ୍ଗଡା ସବୁ ରକମର ଆମ୍ବ। ତାଜା ଆମ୍ବ ଆସିଛି।”
ଫେରିବାଲାର ଡାକ ଶୁଣି ବାଲକୋନୀକୁ ଆସି ଗଲେ ଛାୟା । ” କି ଆମ୍ବ ଆଣିଛ ?”
ସବୁ ପ୍ରକାର ଆମ୍ବ ଅଛି ମାଆ । ଆମ୍ବ ଗୁଡିକର ନାମ ପୁଣି ଥରେ କହିଗଲା ଫେରିବାଲା ।
ସହରକୁ ଆସିବା ପରେ ହିଁ ସେ ଆମ୍ବ ଗୁଡ଼ିକର ବିଭିନ୍ନ ନାମ ଶୁଣିଛି । ଏ ପର୍ଯ୍ୟନ୍ତ ସେ ସବୁଆମ୍ବ ଖାଇଥିବ କି ନା ସେ କହି ପାରିବ ନାହିଁ । ଗାଁରେ ଥିବା ବେଳେ ସେ ଯେଉଁ ଗୁଡ, ଚିନି, ବେଲ କଦଳି ଆମ୍ବ କଥା ଜାଣି ଥିଲା ବାସ ସେତିକି। ଯାହା କୁହ ତା’କୁ ବାଇଗଣପଲି ଆମ୍ବ ବହୁତ ଭଲ ଲାଗେ।
ଛାୟା ଆମ୍ବ କିଣୁ ଥିଲେ। ସେ ଘରଭିତରକୁ ପଳାଇ ଆସିଲା । କାରଣ ସେଠାରେ ରହିଲେ ଆମ୍ବଗୁଡିକୁ ଦେଖିଲା ପରେ ତା’ ମନକୁ ସେ ସମ୍ଭାଳି ପାରିବ ନାହିଁ । ସେ ଯେମିତି ହେଲେ ଖାଇବାକୁ ଇଚ୍ଛା କରିବ । ଛାୟା କେବହେଲେ ତା’କୁ ତେବେ ନାହିଁ । ନିଜକୁ ଆୟତ କରି ସ୍ବଗତୋକ୍ତି କଲା, ” ଆମ୍ବରେ ! ତୁ ମୋତେ ଖରାପ ଭାବିବୁନି। ତୁ ନିଜେ ଜାଣିଛୁ ତୋ ମୋ ଭିତରେ କେଡେ ନିବିଡ଼ ସମ୍ପର୍କ । ମୋ ହେତୁ ହେବା ଦିନ ଠାରୁ ଆମ ଦୁହିଁଙ୍କର ସମ୍ପର୍କ। ଆଜି କାଲିର ନୁହେଁ । ତୋତେ ମୁଁ କେତେ ଭଲପାଏ ସେମିତି ଯଦି କିଛି ମାପ କାଠି ଥା’ନ୍ତା ତୋତେ ମୁଁ ମାପ କରି ଦେଖାଇ ଥା’ନ୍ତି ମୋ ଭଲପାଇବା ଗଭୀରତା । ସେଥିପାଇଁ ତ ମୁଁ ତୋତେ ସବୁବେଳେ ତୁ ବୋଲି ସମ୍ବୋଧନ କରି ଆସିଛି। ଯିଏ ଯାହାକୁ ଯେତେ ଭଲପାଏ ସେ ତା’କୁ ସେଭଳି ଅନୁନ୍ନତ ଶବ୍ଦରେ ସମ୍ବୋଧନ କରେ । ହେଇ ଦେଖୁନୁ ଜଗନ୍ନାଥ ଠାକୁରଙ୍କୁ ବି ଭକ୍ତମାନେ କହନ୍ତି , କାଳିଆରେ ତୁ କାହିଁକି ମୋ ଗୁହାରି ଶୁଣୁନୁ । ତୁ କେବେ ଆଉ ମୋ କଥା ଶୁଣିବୁ ଇତ୍ୟାଦି । କହିପାରିବୁ କି ତୋତେ ମୁଁ କେବେ ‘ତମେ’ ‘ଆପଣ’ ବୋଲି ଡାକିଛି ? ସେମିତି ନିବିଡ ସମ୍ପର୍କ ଥିବାରୁ ତୁ ମୋ ପାଇଁ ତୁ ଓ ମୁଁ ତୋ ପାଇଁ ତୁ ହୋଇ ରହିଛୁ। ଏ ସମ୍ପର୍କ ଏମିତି ରହୁ ହେଲେ ତୁ ମୋ ପାଖକୁ କେବେ ଆସିବୁନି କି ମୁଁ ତୋ ପାଖକୁ କେବେ ଯିବିନି । ମୁଁ ଏବେ ଡାଏବେଟିସ୍ ଚିକିତ୍ସାରେ ଅଛି । ଡାକ୍ତର ମିଠା ଖାଇବା ପାଇଁ ବାରଣ କରିଛନ୍ତି । ଏତିକି କ’ଣ ତୁ ମୋ ପାଇଁ ତ୍ୟାଗ କରି ପାରିବୁନି ? ତୁତ ଜାଣୁ ତୋ ଦେହ କେତେ ମିଠା । ମୁଁ ତୋତେ ଭଲ ପାଏ ବୋଲି ମୋ ପାଟି ଭିତରଦେଇ ନେଇ ମୋ କଲିଜାରେ ତୋତେ ଘୋଡେଇ ରଖୁ ଥିଲି। ହେଲେ ଏଣିକି ରଖି ପାରିବି ନାହିଁ। ଏଇ କାରଣରୁ ମୁଁ ତୋ ସହିତ ସମ୍ପର୍କ ଛିନ୍ନ କରିଛି। ଆମର ସମ୍ପର୍କ ଭୌତିକ ଭାବରେ ନ ହେଲେ ବି ମାନସିକ ସ୍ତରରେ ବଞ୍ଚି ରହିଥିବ ଚିରକାଳ ।”
ଘର ଭିତରକୁ ପଶି ଆସିଲେ ଛାୟା । ତା’ ଆଖିରେ ଲୁହ ଦେଖି ପ୍ରଶ୍ନ କଲେ,” ତମେ କ’ଣ କାନ୍ଦୁଛ ? ଏଡିକି ଟିକିଏ ଛୋଟ ଆଶକ୍ତିକୁ ପରିହାର କଲବୋଲି ? “
” ତମେ ବୁଝି ପାରିବନି ଛାୟା , ୟେ କେବଳ ଆମ୍ବ ଖାଇବା କଥା ନୁହଁ। ମୋ ହେତୁ ପାଇବା ଦିନଠାରୁ ତା’ ଠାରେ ମୋ ସମ୍ପର୍କର ନିବିଡ଼ତା ଓ ଆବେଗରେ ବନ୍ଧା ବନ୍ଧୁତ୍ବର ସୁଦୃଢ଼ ରଜ୍ଜୁକୁ ଛିନ୍ନ କରିବା ମୋ ପାଇଁ କଷ୍ଟକର ହେଇ ପଡିଲା । ତେଣୁ ସ୍ବତର୍ସ୍ଫୁତ ଭାବେ ଝରି ଆସିଛି ଦୁଇ ଟୋପା ଅଶ୍ରୁ। ହେଲେ ଇଏ ଅଶ୍ରୁ ନୁହେଁ ଛାୟା ଏ ହେଉଛି ପ୍ରେମ ବନ୍ଧନର ପ୍ରତୀକ।
ଛାୟାଙ୍କ ମୁହଁରୁ କଥା ସ୍ଫୁରିଲା ନାହିଁ।
ପୂର୍ବତନ ଆରକ୍ଷୀ ଅଧୀକ୍ଷକ, ନୟାଗଡ଼
ମୋ- ୯୪୩୭୮୭୩୫୦୬