ଏ.ଡି.ଏମ. ଦେଲେ ପ୍ରତିଶୃତି, ଚତୁର୍ଥ ଦିନରେ ଭାଙ୍ଗିଲେ ଆମରଣ ଅନଶନ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଚତୁର୍ଥ ଦିନରେ ରାଜସୁନାଖଳାକୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଅନଶନ ସ୍ଥଳରେ ଦିନ ତମାମ ଜମିଲା ନେତାଙ୍କ ଭିଡ଼। ପହଁଚିଲେ ଶାସକ, ବିରୋଧୀ ଦଳର ଅନେକ ନେତା। ଗୁରୁବାର ବିଳମ୍ବିତ ରାତିରେ ସିପିଏମ ନେତା ସୁରେଶ ସ୍ୱାଇଁ ପହଞ୍ଚି ସମର୍ଥନ ଜଣାଇଥିଲେ। ଶୁକ୍ରବାର ସକାଳ ସମୟରେ ପ୍ରଥମେ ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ଅଶୋକ ମିଶ୍ର ପହଞ୍ଚି ରାଜ୍ୟ ସରକାର ଖୁବଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବାକୁ ଦାବି କରିବା ସହ ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ପ୍ରଧାନଙ୍କ ମାତୃଭୂମି ପ୍ରୀତିକୁ ନେଇ ପ୍ରଶଂସା କରିଥିଲେ ଅଶୋକ ମିଶ୍ର। ମାଧ୍ୟାନ୍ନରେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ଅନଶନ ସ୍ଥଳରେ ପହଞ୍ଚି ସମର୍ଥନ ଜଣାଇବା ସହ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ଫଳରେ ଜିଲ୍ଲାପାଳଙ୍କ ନିର୍ଦେଶରେ ରଣପୁର ବିଡ଼ିଓ ପହଞ୍ଚି ଏନେଇ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

ରଣପୁର ତହସିଲଦାର ପହଞ୍ଚି ନିର୍ବାଚନ ପରେ ଏନଏସି ନିଶ୍ଚୟ କରାଯିବା ପାଇଁ ପ୍ରକ୍ରିୟା ଶେଷ ହୋଇଥିବା କହିଥିଲେ। ସନ୍ଧ୍ୟାରେ କଂଗ୍ରେସ ଯୁବ ନେତା ବିଭୁ ପ୍ରସାଦ ମିଶ୍ର ପହଞ୍ଚି କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଶନିବାର ଦାବିପତ୍ର ଦେବାକୁ କହିଥିଲେ। କଂଗ୍ରେସ ବ୍ଲକ ସଭାପତି ଶତ୍ରୁଘ୍ନ ପାଇକରାୟ, ସତ୍ୟବ୍ରତ ନାୟକ, ଅନିଲ ପରିଡା, ଦିଲ୍ଲୀପ କୁମାର ସେନାପତି ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ। ରାତିରେ ରଣପୁର ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଦେବୀପ୍ରସାଦ ସାମନ୍ତରାୟ ସମର୍ଥନ ଜଣାଇଥିଲେ। ନୟାଗଡ଼ର ସ୍ବେଛାସେବୀ ସଂଗଠନ ‘ଅନନ୍ୟା ଫାଉଣ୍ଡେସନ’ର ମୁଖ୍ୟ ଅଶୁତୋଷ ଦାଶ, ପ୍ରିନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ଇଞ୍ଜିନିୟର ରୀନା ସାହୁ ପ୍ରମୁଖ ଅନଶନ ସମର୍ଥନରେ ରିଲେ ଧାରଣାରେ ବସିରହିଥିଲେ। ଏହି କ୍ରମରେ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସ୍ବେଛାସେବୀ, ସଂଗଠକ, ଯୁବ ପ୍ରତିଭାମାନେ ଯୋଗଦେଇ ଥିଲେ। ଶେଷରେ ନୟାଗଡ଼ ଏ ଡି ଏମ ରୋଜିନା ଦାଶ ପ୍ରତିଶୃତି ଦେଇ ଅନଶନକାରୀ ଶ୍ରୀ ପ୍ରଧାନଙ୍କୁ ଗ୍ଲୋକୋଜ ପିଆଇ ଅନଶନ ଭଙ୍ଗ କଲେ।

Related posts