ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ କେନ୍ଦ୍ର ସରକାର ତାଳଚେର- ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ୫ଟି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ। ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଶରଣକୁଳ, ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଧବଳପୁର, ଆସ୍କା, ସୁବଳୟା, ବାଲିପଦର, ବୁଗୁଡ଼ା, କରଚୁଲି, ବନ୍ତପୁର ସହିତ କଟକ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ବଡ଼ମ୍ବା, ନୂଆପାଟଣା, ଗୋବିନ୍ଦପୁର, ରସୋଲ, ମଇଧରପୁର, ଟାକୁଆ ଆଦି ସ୍ଥାନରେ ରେଳ ଷ୍ଟେସନ ନିର୍ମାଣ ହେବାର ଯୋଜନା ରହିଛି । ଇତି ମଧ୍ୟରେ ଏହି ପ୍ରକଳ୍ପର ଫାଇନାଲ ଲୋକେସନ ସର୍ଭେକୁ ରେଳମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଉପରେ ମୋହର ମାରିଛନ୍ତି। ଅନ୍ୟପକ୍ଷରେ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀ ଦଶପଲ୍ଲା ଷ୍ଟେସନ ଉଦଘାଟନ କରିବା ଅବସରରେ ନୟାଗଡ଼ ଷ୍ଟେସନଠାରେ ତାଳଚେର- ଗୋପାଳପୁର କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉକ୍ତ ରେଳ ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବା ପାଇଁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ରେଳମନ୍ତ୍ରୀ ନିକଟରେ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ ସମୟରେ କଣ୍ଟିଲୋ ଏବଂ ଖଣ୍ଡପଡ଼ାକୁ ଖୁବଶୀଘ୍ର ନୟାଗଡ଼ଠାରୁ ରେଳ ସଂଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ରେଳମନ୍ତ୍ରୀ କଥା ଦେଇ କଥା ରଖିଥିବାରୁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ନୟାଗଡ଼ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ନାଗରିକ ମଞ୍ଚ ସମ୍ପାଦକ ଲକ୍ଷ୍ମୀଧର ସାହୁ ରେଳମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

Related posts