ମହାମାରୀରେ ପିଲାଙ୍କୁ ଏକାଠି କରି ପଢାଇବା ମହଙ୍ଗା ପଡିଲା ଶିକ୍ଷକଙ୍କୁ, ସାବାଡ଼ କଲା ଚାନ୍ଦପୁର ପୋଲିସ, ୧୦ ହଜାର ଜୋରିମାନା

ରଣପୁର: (ନୟାଗଡ ଦର୍ପଣ) ସାରା ଦେଶରେ କୋରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି l ମହାମାରୀର ଭୟାଭହତା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି l ମାତ୍ର ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ମଦର ଷ୍ଟାର ଟ୍ୟୁଟୋରିଆଲରେ ଦୁଇଜଣ ଶିକ୍ଷକ ଏହାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି l ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି l ଏକାଠି କରି ପିଲାଙ୍କୁ ପଢାଉଥିଲେ l ଥରେ ଚିନ୍ତା କଲେନି କୌଣସି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ହେଲେ କେତେ ଭୟଙ୍କର ହୋଇପାରେ ପରିଣାମ l ମହାମାରୀ ସମୟରେ ଚଳାଉଥିଲେ କୋଚିଂ l ପିଲାମାନଙ୍କୁ ପାଠ ପଢାଉଥିଲେ l ନାଁ ଥିଲା ସାମାଜିକ ଦୂରତା, ନାଁ ମୁହଁରେ ମାସ୍କ l ଖବର ପାଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ ଟିମ ମଦର ଷ୍ଟାର ଟ୍ୟୁଟୋରିଆଲ ଉପରେ ଚଢ଼ାଉ କରି ଦୁଇଜଣ ଶିକ୍ଷକଙ୍କୁ ପଚରାଉଚୁରା କରିଥିଲେ l କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି l ତଣ୍ଡ ଦେଇଥିବା ଶିକ୍ଷକ ହେଲେ ଜମ୍ବେଶ୍ବର ଜୁହାରସିଂ ଏବଂ ଦୁର୍ଯ୍ୟୋଧନ ବେହେରା l ପୁନର୍ବାର କୋଚିଂ କ୍ଲାସ ନ କରିବାକୁ ପୋଲିସ ଉଭୟଙ୍କୁ ତାଗିତ କରିଥିବା ଜଣାପଡିଛି l

Related posts