ନୟାଗଡ଼ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହେବ ରାୟ ଦମ୍ପତ୍ତିଙ୍କ ଇସ୍ତଫା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ୬୬ହଜାର ପଦ୍ମ ଫୁଟାଇଥିବା ରାୟ ଦମ୍ପତି ଚଳିତ ନିର୍ବାଚନରେ ବିଜେପି ପାଇଁ କାଳ ସାଜିବେ ବୋଲି ନୟାଗଡ଼ରେ ଚର୍ଚ୍ଚା। ନୟାଗଡ ଜିଲ୍ଲାରେ ପଦ୍ମ ଦଳର ସମ୍ପତ୍ତି କୁହାଯାଉଥ‌ିବା ଲାଲା ମନୋଜ ରାୟ ଓ ତାଙ୍କ ପତ୍ନୀ ଇରାନୀ ରାୟ ଏବେ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ିବା ବେଳେ ରାୟ ଦମ୍ପତ୍ତି ଯେପରି ରାଜ୍ୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହା ହିଁ ପଦ୍ମ ଦଳିଆ ରାଜ୍ୟ ତୁଙ୍ଗ ନେତାଙ୍କ ଶିରପୀଡ଼ା କରିଦେଇଛି। ଜଣେ ସଂଗ୍ରାମୀ ନେତ୍ରୀ ଭାବରେ ପରିଚିତ ଇରାନୀ ରାୟ ଗାଁ ଗାଁ ବୁଲି ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ଦଳର ଭୋଟକୁ ନୟାଗଡ଼ରେ ୬ ହଜାରରୁ ୬୬ ହଜାରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାରେ ରାୟ ଦମ୍ପତି ଦିନରାତି ଏକାଠି କରି ଦେଇଥିଲେ। ମାତ୍ର ଗତ କିଛି ମାସ ହେଲା ଦଳର କିଛି ନେତା ଯେପରି ସମାନ୍ତରାଳ ଭାବରେ ତାଙ୍କ ବିରୋଧୀ ସଙ୍ଗଠନ ସୃଷ୍ଟି କରିବାରେ ଲାଗି ପଡ଼ିଥିଲେ ତାହା ତାଙ୍କୁ ମର୍ମାହତ କରିଥିଲା। ଏଇ ଦଳ ପାଇଁ ତାଙ୍କର ବିରୋଧୀ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସମାବେଶରେ ଦଳର କିଛି ନେତା ଗୋପନରେ ଯୋଗଦେବା ତାଙ୍କୁ ଓ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରୁଥିବା ତାଙ୍କ ସ୍ବାମୀଙ୍କ ପାଇଁ ପୀଡ଼ାଦାୟକ ହୋଇଥିଲା। ଠିକ ସେତିକି ବେଳକୁ ବିନା ଆଲୋଚନା ଓ କୌଣସି କାରଣ ନ ଦର୍ଶାଇ ଲାଲା ମନୋଜଙ୍କୁ ଜିଲ୍ଲା ସଭାପତି ପଦରୁ ବହିଷ୍କାର କରାଗଲା ଓ ଇରାନୀଙ୍କୁ କଣଠେସା କରିବା ଉଦ୍ୟମ ହେଲା। ରାଜ୍ୟ ନେତୃତ୍ୱଙ୍କ ନିକଟରେ ବାରମ୍ବାର ଫେରାଦ ହେବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଖାଲି ସେତିକି ନୁହେଁ ଯେଉଁ ଦଳ ପାଇଁ ଭୁବନେଶ୍ୱର ଏକ ଆଲିସାନ ବଙ୍ଗଳାକୁ ବ୍ୟାଙ୍କରେ ବନ୍ଧା ପକାଇ କୋଟି କୋଟି ଟଙ୍କା ନୟାଗଡ଼ରେ ଉଡେଇ ଦେଇଥିଲେ ସେଇ ଦଳ ଆଜି ତାଙ୍କୁ ଭୁଲିଗଲା। ଯେଉଁ ରାଜନୀତି ପାଇଁ ନିଜର ଘର ଗଲା ଆଉ ସେଇ ଦଳ ତାଙ୍କୁ କଣଠେସାର ପୁରସ୍କାର ଦେଲା ସେଇ ଦଳରେ କେତେଦିନ ଅଣନିଶ୍ୱାସୀ ହୋଇ ରହିଥାନ୍ତେ ରାୟ ଦମ୍ପତ୍ତି । ଶେଷରେ ବିମର୍ଷ ଇରାନୀ ଓ ତାଙ୍କ ସ୍ବାମୀ ଦଳରୁ ଇସ୍ତଫା ଦେଇଛନ୍ତି। ନୟାଗଡ଼ରେ ଯେଉଁମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ତାଙ୍କୁ ନିଜର ଦମ୍ ଦେଖାଇ ପାନେ ଦେବାଲାଗି କୁଆଡ଼େ ପ୍ରସ୍ତୁତି ଆରମ୍ଭ କରିଥିବା ଖୁବ ଜୋରରେ ଚର୍ଚ୍ଚା ହେଉଛି।

Related posts