ବିରାଟ ବାଇକ୍ ରାଲି ମାଧ୍ୟମରେ ଉଦ୍‌ଘାଟିତ ହେଲା ଶଙ୍ଖେଇ ମେଡିକାଲ

ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ଶଙ୍ଖେଇ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ ଓ ନବୀନ କାର୍ଡ ପ୍ରଚଳନ କରାଯାଇଛି।

ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ମାଗଣା ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ଏକ ବିରାଟ ବାଇକ୍ ରାଲି ଭୁତଡି ଛକ ଠାରୁ ବାହାରି ଶଙ୍ଖେଇ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲା । ବହୁ ସଂଖ୍ୟକ କର୍ମୀ ଏଥିରେ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସରୋଜ ରଣସିଂ, ସ୍ଥାନୀୟ ସରପଞ୍ଚ ଦେବାଶିଷ ଦଳେଇ, ସମିତି ସଭ୍ୟା ଗୋଲାପ ଦଳବେହେରା, ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ସମାଜସେବୀ ପୁର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ବହୁ ସଂଖ୍ୟକ ମହିଳା ଓ ପୁରୁଷ ମାନେ ଏଥିରେ ସାମିଲ ହୋଇଥିଲେ ।

Related posts