ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଛି । ସେହିପରି ନୟାଗଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନଟି ମଧ୍ୟ ଦଶପଲ୍ଲାରୁ ପୁରୀକୁ ନିୟମିତ ଚଳାଚଳ କରୁଛି । ରେଳସେବା ଜିଲ୍ଲାର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ପରଠାରୁ ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ନିକଟବର୍ତ୍ତି ଗଣିଆ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା,ବାଣିଗୋଚ୍ଛା, ଟାକେରା,କଳସଖମଣ ଏପରିକି ବୌଦ୍ଧ,ଚାରିଛକ,ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରାତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ତେବେ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଭାବେ ପରିଚିତ କଟକକୁ ଲୋକମାନେ ପ୍ରତ୍ୟହ ବିଭିନ୍ନ କାମରେ ଯିବା ଆସିବା କରିଥାନ୍ତି । ଓଡ଼ିଶାର ବଡ଼ ଡାକ୍ତରଖାନା କଟକ ଏସସିବି ମେଡିକାଲ କଲେଜ ଏବଂ ଉଚ୍ଚ ନ୍ୟାୟାଳୟ ଏଠାରେ ଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ କଟକ ଆସିଥାନ୍ତି । ଗରୀବ ରୋଗୀଟିଏ ଚିକିତ୍ସାପାଇଁ ମୁଖ୍ୟତଃ କଟକ ବଡ଼ ମେଡିକାଲ ଉପରେ ନିର୍ଭରଶୀଳ ହୋଇଥାଏ । ସେହିପରି ବିଭିନ୍ନ ମାଲିମୋକଦ୍ଦମା ପାଇଁ ଲୋକମାନେ କଟକ ହାଇକୋର୍ଟ ଆସିଥାନ୍ତି । ତେବେ ଜିଲ୍ଲାରୁ କଟକ ଯିବାପାଇଁ ସିଧାସଳଖ କୌଣସି ଯାତ୍ରୀବାହୀ ଗାଡ଼ି ନଥିବାରୁ ଜନସାଧାରଣ ବିଭିନ୍ନଭାବେ ହଇରାଣ ହୋଇଥାନ୍ତି । ଗରୀବ ଲୋକଟିଏ କଟକ ଆସିବା ପାଇଁ ଦୁଇ ତିନୋଟି ଗାଡ଼ି ବଦଳାଇବାକୁ ବାଧ୍ୟ ହୋଇଥାଏ । ଫଳରେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ସମୟର ଅପଚୟ ଘଟିଥାଏ । ଅପରପକ୍ଷରେ ଦଶପଲ୍ଲା ଯାଉଥିବା ସେବା ଏକ୍ସପ୍ରେସ ନଂ ୧୮୪୨୪ ମେମୁ ଟ୍ରେନଟି ଭୁବନେଶ୍ୱରୁ ସକାଳ ୯:୪୦ରେ ଦଶପଲ୍ଲାକୁ ଫେରୁଥିବା ବେଳେ ଠିକ ତା’ର ୫ମିନିଟ ପୂର୍ବରୁ ଭଦ୍ରକ-ଦଶପଲ୍ଲା ଟ୍ରେନ ନଂ୦୮୫୫୫ ଭୁବନେଶ୍ୱରୁ ଦଶପଲ୍ଲା ଅଭିମୁଖେ ବାହାରିଥାଏ । ଫଳରେ ଭୁବନେଶ୍ୱରରୁ ଫେରୁଥିବା ସେବା ଏକ୍ସପ୍ରେସ ଟ୍ରେନଟି ପ୍ରାୟ ଖାଲିଖାଲି ଫେରିଥାଏ । ଅନ୍ୟପକ୍ଷରେ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ଏହି ସେବା ଏକ୍ସପ୍ରେସ ଟ୍ରେନଟି ଭୁବନେଶ୍ୱରରୁ ନଫେରି କଟକ ପର୍ଯ୍ୟନ୍ତ ସଂପ୍ରସାରିତ ହେଲେ ଜିଲ୍ଲାର ବହୁ ଜନସାଧାରଣ ଉପକୃତ ହୋଇପାରନ୍ତେ । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ରେଳ ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଛି । ଜିଲ୍ଲାର ଜନସାଧାରଣଙ୍କ ଅଶା ଆକାଂକ୍ଷା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳ ବିଭାଗ ତୁରନ୍ତ ଦଶପଲାରୁ ଭୁବନେଶ୍ୱର ଯାଉଥିବା ସେବା ଏକସପ୍ରେସ ଟ୍ରେନ ସେବାକୁ କଟକ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଦାବି ଜଣାଇଛନ୍ତି ।
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...