ବରିଷ୍ଠ ନାଟ୍ଯକାର, ସ୍ତମ୍ଭାକାର ତଥା ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ “ଧଇଁ ପେଲୁଛି ଧାଡ଼ିରେ”
ଧାଡ଼ି ବା କ୍ୟୁ କଥା କହିଦେଲେ ଶୃଙ୍ଖଳା କଥା ମନରେ ପଶିଯାଏ । ମେଣ୍ଢାପଲର ଏକମୁହାଁ ଗତିକୁ ଆମେ ବୋକାମୀ ପଣରେ ଗଣିଥାଉ, କିନ୍ତୁ ପିମ୍ପୁଡ଼ିମାନଙ୍କ ଧାଡ଼ିକୁ ଆମେ ଶୃଙ୍ଖଳାର ପ୍ରତୀକଭାବେ ଗ୍ରହଣ କରିଥାଉ । ତେବେ ମଣିଷମାନଙ୍କର ଧାଡ଼ି ଦେଖିଲେ କେଉଁ ଭାବର ଉଦ୍ରେକ ହୁଏ.... ତାହା ଆମ ଅଭିଜ୍ଞତାରୁ ବିଚାରକଲେ ଉପାଦେୟ ହେବ ।
ନୟାଗଡ଼ ଡାକ୍ତରଖାନାରେ ଟିକେଟପାଇଁ ଲାଗିଛି ଲମ୍ବାଧାଡ଼ି! ଶିକାର ଗିଳିଥିବା ଲମ୍ବା ଅଜଗର ଭିଡ଼ିମୋଡ଼ି ହେଲାପରି ରୋଗୀଙ୍କ ଧାଡ଼ି ତରଙ୍ଗ ତରଙ୍ଗ ହେଉଛି । ଧାଡ଼ିର ଲାଞ୍ଜ ରାସ୍ତା ପର୍ଯ୍ୟନ୍ତ ଲମ୍ବିଛି । ଗୋଟିଏ ଟିକେଟ କାଉଣ୍ଟର । ନାରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା କାଉଣ୍ଟର ଥିଲେ ବି ତାହା ନାମ୍କାବାସ୍ତେ । ରୋଗ ଉପଶମ ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀ ଧାଡ଼ିରେ ଠିଆ ହୋଇହୋଇ ହତାଶ ହୁଏ, ରୋଗର ମାତ୍ରା ବଢ଼ିଯାଏ, ମୁଣ୍ଡକୁ ପୀତ ଚଢ଼ିଯାଏ । ଘଣ୍ଟେ ଦି’ଘଣ୍ଟା ଧାଡ଼ିରେ ଗତିକରି ଟିକେଟ୍ ହାସଲ କଲାପରେ ରୋଗୀ ପୁଣି ଧାଡ଼ିବାନ୍ଧେ ଡାକ୍ତରପାଖରେ । ଝାଳନାଳ ହୋଇ ଡାକ୍ତରଙ୍କୁ ଭେଟିସାରିଲାପରେ ପୁଣି ଧାଡ଼ିଲଗାଏ ପାଥୋଲୋଜି ବା ପରୀକ୍ଷାଗାର ଆଗରେ । ସେଠି ବି ଘଣ୍ଟଘଣ୍ଟା ଧରି ଧାଡ଼ି ସରେନା । ରୋଗୀ ଆହୁରି ହତାଶ ହୁଏ । ତା’ପରେ ଧାଡ଼ି ଲମ୍ବେ ଔଷଧବଣ୍ଟନ କାଉଣ୍ଟରରେ । ସେଠି ବି ଘଣ୍ଟାଘଣ୍ଟାର ପ୍ରତୀକ୍ଷା । ମହିଳା, ବରିଷ୍ଠନାଗରିକ, ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା- ଲେଖି ପ୍ରଚାର କରିବାରେ ହେଳା ନାହିଁ । ହେଲେ ସେଇ କାଉଣ୍ଟର ଆଗରେ ବୁଢ଼ାମଲାଟ ବୁଜା ହୋଇଛି । କିମ୍ବା ସେଇ କାଉଣ୍ଟରଭିତରେ କେହି ଦାତା ଦଇବ ନାହାନ୍ତି । ସେଇ ସବୁ ମୁଣ୍ଡବିନ୍ଧା ଧାଡ଼ି ଦେଖିଦେଲେ ଶୃଙ୍ଖଳାକଥା ମୁଣ୍ଡକୁ ଆସେ ନାଁ ଆମ ଚିକିତ୍ସା ବ୍ୟବସ୍ଥାର ବିକଳଚିତ୍ର ଜଳଜଳ ଦେଖାଯାଏ? ରୋଗୀ ଆସିଲାମାତ୍ରେ ସେବା ପାଇବ, ଉପଶମ ପାଇବ! ଏଇ ଧାଡ଼ିଦେଖିଲେ କ’ଣ ରୋଗୀ ସେ ଆଶ୍ୱାସନା ପାଇ ପାରିଥାଏ?
ପ୍ରଥମେ ପ୍ରଥମେ ଲାଗୁଥିଲା- ଧାଡ଼ି ବା କ୍ୟୁ ଏକ ଶୃଙ୍ଖଳିତ ସମାଜର ଲକ୍ଷଣ । ଏବେ ବୁଝି ହେଉଛି- ଏହା ଏକ ବିକଳ, ଦରିଦ୍ର ଅବସ୍ଥାର ଚିତ୍ର । ଉପଭୋକ୍ତାଙ୍କ ସଂଖ୍ୟାକୁ ଚାହିଁ ବ୍ୟବସ୍ଥା ଅତି ନଗଣ୍ୟ । ତେଣୁ ତତ୍କ୍ଷଣାତ୍ ସେବା ପାଇବା ପରିବର୍ତ୍ତେ ଘଣ୍ଟଘଣ୍ଟା ଧରି ଲାଇନ୍ ଲଗାଇବାକୁ ହୁଏ । ସେହି ଲାଇନ୍ରେ ଠିଆ ହୋଇ କେହିକେହି ଚୈତନ୍ୟ ହରାନ୍ତି, କେହିକେହି କର୍ମକୁ ନିନ୍ଦି ଧାଡ଼ିରୁ ଖସି ଘରକୁ ଫେରନ୍ତି । ରେସନ ଦୋକାନ ଆଗରେ କ୍ୟୁ, ସିନେମା ଟିକେଟ ପାଇଁ ଧାଡ଼ି, ଜାତି କିମ୍ବା ଆୟସାର୍ଟିଫିକେଟ୍ ପାଇଁ ଧାଡ଼ି, ବିହନ କିଟ୍ ପାଇଁ, ସାରପାଇଁ କୃଷିଦପ୍ତରରେ ଧାଡ଼ି, ବଫେ ସିଷ୍ଟମ ଭୋଜିଖିଆରେ ଧାଡ଼ି, ବିଜୁଳି-ଦେୟ ଦାଖଲ ପାଇଁ ଧାଡ଼ି, ଡାକ୍ତରଙ୍କ ପାଖରେ ପ୍ରାଇଭେଟ ଟ୍ରିଟ୍ମେଣ୍ଟପାଇଁ ଧାଡ଼ି, ଟଙ୍କା ଉଠାଇବା ପାଇଁ ଧାଡ଼ି, ବ୍ୟାଙ୍କ ପାସବୁକ୍ ଅପଟୁଡେଟ୍ କରିବାପାଇଁ ଧାଡ଼ି, ଏଇମିତି ଧାଡ଼ିକଥା କହିଚାଲିଲେ ଧାର ଛିଡ଼ିବନି ।
ଧାଡ଼ିରେ ଠିଆ ହେବା ଲୋକ ହିଁ ଧାଡ଼ିର ଦୁଃଖ ବୁଝେ । ଏକ ସୀମିତ ଜଳାବାଟଟିଏ ଖୋଲି ଅସଂଖ୍ୟଲୋକଙ୍କୁ ସେହି ବାଟଦେଇ ସେବା ଦେଉଥିବା ବିଚରା ଲୋକଟିର ବା ଦୋଷ କ’ଣ? ସିଏ ବା କ’ଣ କରିପାରିବ? କାଉଣ୍ଟର ସଂଖ୍ୟା ବଢ଼ାଇ ଅଧିକ ସେବକ ନିଯୁକ୍ତି ଦେଲେ ସିନା ଲୋକେ ତ୍ୱରିତ୍ ନ୍ୟାୟ ପାଇପାରିବେ! ସରକାରଙ୍କର ସିଆଡ଼େ ନିଘା ନାହିଁ । ଯେମିତି ଲକ୍ଷେ ପାଖାପାଖି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ଦୁଇ ତିନିଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଧାଡ଼ି ଛିଡ଼ିଲାବେଳକୁ ଉପଭୋକ୍ତାର ଜୀବନଦୀପରୁ ତେଲ ସରିଯିବଣି! କଚୁଟେ ପାଇବ ଉପଭୋକ୍ତା!
ଏ ଲମ୍ବା ଧାଡ଼ିରେ ପୂର୍ଣ୍ଣଛେଦ ଟାଣି ଲୋକଙ୍କୁ ସେବା ଯୋଗାଇ ପାରିବାଭଳି ଅଧିକ ସଂଖ୍ୟକ କାଉଣ୍ଟରର ବ୍ୟବସ୍ଥା କରିପାରିଲେ ସିନା ଲୋକଙ୍କ ମୁଣ୍ଡବିନ୍ଧା ଦୂରହେବ! ଲୋକଟି ଆସିବ-ତତ୍କ୍ଷଣାତ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ତାକୁ ଲମ୍ବାଧାଡ଼ି ଅତିକ୍ରମ କରିବାକୁ ପଡ଼ିବନି । ଏମିତି ହୋଇପାରିଲେ ଲୋକର ମୁଣ୍ଡ ବିନ୍ଧିବ କାହିଁକି?
ନୟାଗଡ଼, ମୋ-୮୧୪୪୫୧୫୩୩୧