ଭାରତୀୟ ଅନୁବାଦ ସାହିତ୍ୟ ଆନୁକୁଲ୍ୟରେ ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟର ସମୃଦ୍ଧି ତଥା ଯୁବ ଅନୁବାଦକମାନଙ୍କୁ ଉତ୍ସାହିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଭାରତର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆଲୋଚନା ଓ ଅନୂଦିତ କାବ୍ୟ ପାଠ ଅନୁଷ୍ଠିତ ହୋଇ ଯାଇଛି।ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ । ବିଶିଷ୍ଟ ଜ୍ଞାନ, ସାମର୍ଥ୍ୟ,ଅନୁଭବ ଏବଂ କଳାତ୍ମକ କୌଶଳ ଦ୍ୱାରା ଅନୁବାଦ ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ ହୋଇଥାଏ। ଅନୁବାଦ ଆମ ପରସ୍ପରକୁ ନିକଟତର କରିବାସହ ବିଶ୍ୱ ଐକ୍ୟକୁ ପରିପୁଷ୍ଟ କରିଥାଏ ବୋଲି ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶିଷ୍ଟ ପଞ୍ଜାବୀ ଅନୁବାଦକ ଅମରଜୀତ କୌଁକେ, ଓଡ଼ିଆ ଅନୁବାଦକ ଡ. ଚିତ୍ତରଞ୍ଜନ ମିଶ୍ର ଓ ମରାଠୀ ଅନୁବାଦକ ବିଜୟ ପ୍ରଭାକର ନାଗରକର ମତପ୍ରକାଶ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଭାରତର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅନୁବାଦ ସାହିତ୍ୟ କର୍ମଶାଳା ଆୟୋଜନ କରିବା ଦିଗରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଜୟଶ୍ରୀ ଦୋରା ଓ ସନାତନ ମହାକୁଡ଼ଙ୍କ ସଂଯୋଜନାରେ ପଞ୍ଜାବ,ଗୁଜୁରାଟ, ରାଜସ୍ଥାନ, ଛତିଶଗଡ଼,ଆସାମ , ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ,ବିହାର ଓ ଓଡ଼ିଶା ଆଦି ରାଜ୍ୟର ଅନୁବାଦକ ମାନେ ବିଭିନ୍ନ ଭାଷାର ଖ୍ୟାତନାମା କବିଙ୍କ କବିତାର ଅନୁବାଦ ନିଜ ଭାଷାରେ ପାଠ କରିଥିଲେ।ବିଶେଷଭାବେ ଶ୍ୟାମଳୀ ସେନଗୁପ୍ତ,କୃଷ୍ଣାଜୀନା ଶର୍ମା,କବିତା ଦତ୍ତ ଗୋସ୍ୱାମୀ,ମଂଜୁଳା ଆସ୍ଥାନା ମହାନ୍ତି,ବନ୍ଦିତା ମୁଦିଆର ଠାକୁରିଆ,ସ୍ୱପ୍ନ କୁମାର ପ୍ରହରୀ, କ୍ରିଷ୍ଣା ଅଜନବୀ, ବର୍ଣ୍ଣାଳୀ ଶର୍ମା ଗୈାଡ, ସବିତା ରାଉତ, ପାରମିତା ଷଡ଼ଙ୍ଗୀ, ସଂଗୀତା ରଥ, ନମିତା ପାଇକରାୟ, ପୂରବୀ ବୋରା, ସୁନନ୍ଦା ଚୌଧୁରୀ ପ୍ରମୁଖଙ୍କ ଅନୁବାଦ କବିତା ଥିଲା ହୃଦୟସ୍ପର୍ଶୀ। ଏହି ଅବସରରେ ସର୍ବଭାରତୀୟସ୍ତରରେ ଅନୁବାଦକମାନଙ୍କ ପରିଚୟ ପୁସ୍ତିକାର ଦ୍ୱିତୀୟ ସଂସ୍କରଣ ଆସନ୍ତା ବିଶ୍ୱ ଅନୁବାଦ ଦିବସ ଦିନ ପାଇବ ବୋଲି ସଂପାଦକ ସୂଚନା ପ୍ରଦାନ କରିଥିଲେ।

Related posts