ପ୍ରେମ ପାଇଁ ସ୍ୱାମୀକୁ ମାରି ଘର ଭିତରେ ମାଟିତଳେ ପୋତିଦେଲା ସ୍ତ୍ରୀ

ଶାଶୁ, ସ୍ତ୍ରୀ ଓ ପ୍ରେମିକ ଗିରଫ ପରେ ଗାଁ ଶତାଧିକ ଲୋକ, ପୋଲିସ ମୁତୟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୧୪ ବର୍ଷଘର ସଂସାର କରି ସାରିବା ପରେ ସ୍ୱାମୀ ସ୍ତ୍ରୀର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପୁଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବାବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡିଛି। ସୂଚନା ଅନୁସାରେ, ଓଡ଼ଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ନାୟକ ପୁଅ ପ୍ରକାଶ ନାୟକ(୩୭) ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ କୋମଣ୍ଡ ଗ୍ରାମର ନାଟୁଆ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ନାୟକ (୩୨)ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ତାଙ୍କ ଔରସରୁ ୭ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛନ୍ତି। ଜ୍ୟୋତ୍ସ୍ନାରାଣୀ ସେହି ଗାଁ ମକରପଦାର ଜନୈକ ଯୁବକଙ୍କୁ ଭଲ ପାଇ ଆସୁଥିଲେ ଏବଂ ସେ କୋମଣ୍ତରେ ୧୦ ବର୍ଷ ହେବ ରହୁଥିଲେ। ତାଙ୍କ ସହ ସ୍ବାମୀ ଓ ପୁଅ, ଝିଅ ମଧ୍ୟ ରହି ଆସୁଥିଲେ। ଜ୍ୟୋତ୍ସ୍ନାରାଣୀଙ୍କ ଘରେ ତାଙ୍କ ମାଆ ଓ ବଡ଼ ଭଉଣୀ ରୁହନ୍ତି। କିଛିଦିନ ତଳେ କୌଣସି କାରଣକୁ ନେଇ ସ୍ବାମୀକୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ଯୋଜନା କରିଥିଲେ।

ଯୋଜନା ଅନୁଯାୟୀ ସ୍ବାମୀ ପ୍ରକାଶକୁ ଜୀବନରେ ମାରି ଦେଇଥିଲେ। କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ।ତା ଉପରେ ଶିଳ, ଘୋରଣା ଆଦି ମଡ଼ାଇ ରଖୁଥିଲେ।ପାପ ପାତାଳରୁ ଫୁଟି ବାହାରିଲା ଭଳି ଧିରେ ଧିରେ ଏହି କଥା ବାହାରକୁ ବାହରିବା ପରେ ସାହି ପଡ଼ିଶା ଲୋକେ ଟୁପୁରୁ ଟାପୁରୁ ହେଲେ। ଠିକ ସେହିପରି ମୃତ ପ୍ରକାଶ ପ୍ରତି ୫ ଦିନ ଅବା ୭ଦିନ ବ୍ୟବଧାନରେ ନିଜ ଘରକୁ ଯାଇ ବାପା ମା’ଙ୍କ ହାଲଚାଲ ବୁଝି କରି ଆସନ୍ତି। କିନ୍ତୁ ଗତ ୧୦ ଦିନ ହେବ ପ୍ରକାଶ ଘରକୁ ନ ଯିବାରୁ ପ୍ରକାଶର ବାପା ଗୋଲକ ଏ ନେଇ ଓଡ଼ଗାଁ ଥାନାରେ ନିଖୋଜ ମାମଲା ଦାୟର କରିବା ପାଇଁ ଥାନାରେ ପହଞ୍ଚିଥିଲେ। ମାତ୍ର ପୁଅର ଆଧାରକାର୍ଡ ନେଇ ନ ଥିବାରୁ ସେହି ଆଧାର କାର୍ଡ଼ ଆଣିବା ପାଇଁ ପ୍ରକାଶର ଶଶୁର ଘର କୋମଣ୍ଡ ଛାମୁ ସାହିକୁ ଯାଇଥିଲେ। ସେଠାରେ ଗୋଲକ ଘର ମଧ୍ୟରେ କିଛି ମାଟି ଗଦା ଓ ଗାତ ଖୋଳା ହେବା ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏହା ପରେ ଗୋଲକ ଓଡ଼ଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ କୋମଣ୍ଡ ଗ୍ରାମରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରି ସ୍ତ୍ରୀ ଓ ଶାଶୁ ଡମୁଣି ପ୍ରଧାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା ଏବଂ ଘଟଣା ସତ ବୋଲି ମାନି ନେଇଥିଲେ। ଖବରପାଇ ପ୍ରେମିକ ଖସି ଯାଉଥିବାବେଳେ ତାକୁ ମାଛିପଡ଼ା ନିକଟରୁ ପୁଲିସ କାବୁ କରି ନେଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଶରଣକୁଳ ଏସଡିପିଓ ସୁଧାକର ସାହୁ, ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ତହସିଲଦାର ମାନସ ରଞ୍ଜନ ଭୋଇ,ଏସଆଇ ସ୍ବାଗତ କୁମାର ଦାଶ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୋତା ଯାଇଥିବା ଗାତକୁ ଲୋକଙ୍କ ସହାୟତାରେ ଖୋଳିଛନ୍ତି। ଏ ପଟେ ଗାଁର ଶତାଧିକ ଲୋକ ସତ୍ୟାସତ୍ୟ ଜାଣିବାକୁ ଜଗି ବସିଛନ୍ତି। କାଳେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପୁଲିସ ମୁତୟନ କରାଯାଇଛି।

Related posts