ରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ‘ନାଟ୍ୟଧାରା’ ନୟାଗଡ଼ ପକ୍ଷରୁ ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ଡ ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘ଅରୁପାରୁପା’ ମଞ୍ଚସ୍ଥ ହେବ।

ମାର୍ଚ୍ଚ ୨ରେ ସମ୍ବଲପୁର କଲଚରାଲ ଆସୋସିଏସନ ପକ୍ଷରୁ ଆଶିଷ କୁମାର ସୋନାରଙ୍କ ରଚିତ ଏବଂ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ନାଟକ ‘କେଡ଼ା’।

ମାର୍ଚ୍ଚ ୩ରେ ଓମ ନାଟ୍ୟ ସଂସ୍ଥା ବାରିପଦା ପକ୍ଷରୁ ଡ ସଞ୍ଜୟ ହାତୀଙ୍କ ରଚିତ ଏବଂ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକ “ମଞ୍ଚମାୟା”।

ମାର୍ଚ୍ଚ ୪ରେ ପଞ୍ଚଧ୍ୱନୀ ନାଟ୍ୟ ପରିଷଦ ଭୁବନେଶ୍ୱର ପକ୍ଷରୁ ପଞ୍ଚାନନ ଦାଶଙ୍କ ରଚିତ ଏବଂ କରୁଣାକର ସାମଲଙ୍କ ନିର୍ଦ୍ଦେଶିତ ନାଟକ “ପଶାପାଲି”।

ମାର୍ଚ୍ଚ ୫ରେ ଚମତ୍କାର ନୟାଗଡ଼ ପକ୍ଷରୁ ଗଦାଧର ନନ୍ଦଙ୍କ ରଚିତ ଏବଂ ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ “ପତିତପାବନ ବାନା ଆଉ କେତେ ବେଳକୁ”।

ମାର୍ଚ୍ଚ ୬ରେ ଥିଏଟର ମାରାଥନ କଟକ ପକ୍ଷରୁ ଉମେଶ ଦାଶଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ମହାପାପ”।

ମାର୍ଚ୍ଚ ୭ ଅନ୍ତିମ ଦିବସରେ କଳାକାର ନାଟ୍ୟ ସଂସ୍ଥା ଅନୁଗୁଳ ପକ୍ଷରୁ ଶିବ କୁମାର ରଥଙ୍କ ରଚିତ ଏବଂ କୃଷ୍ଣ ଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶିତ ନାଟକ “ଶୁଖିଲା ସମୁଦ୍ର” ମଞ୍ଚସ୍ଥ ହେବ।

ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ ପାଇଥିଲା। ଉଲିଖିତ ରାଜ୍ୟସ୍ତରୀୟ ନାଟ୍ୟମେଳାକୁ ପରିପୂର୍ଣ୍ଣ ଉପଭୋଗ ପୂର୍ବକ ମଞ୍ଚମୁଖି ହେବାପାଇଁ ନାଟ୍ୟପ୍ରେମୀଙ୍କୁ ନାଟ୍ୟଧାରା ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି।
.

Related posts