ନୟାଗଡ,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। ଏହି ଘଟଣାରେ ୬ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଦୁଇଟି ହାତୀ ଦାନ୍ତକୁ ଜବତ କରିଛି ବନ ବିଭାଗ । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି ନୟାଗଡ଼ ଡିଏଫଓ। ୧୫ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରିଥିଲା ବନ ବିଭାଗ । ଦୁର୍ବୃତ୍ତମାନେ କରେଣ୍ଟ ଲଗାଇ ହାତୀକୁ ମରିବା ପରେ ତାର ଦାନ୍ତ କାଟି ନେଇଥିଲେ। ଦନ୍ତା ହାତୀର ବୟସ ୨୦ବର୍ଷ ହେବ ବୋଲି ଅନୁମାନ କରୁଛନ୍ତି ଡିଏଫଓ । ବାଇଶିପଲ୍ଲି ଅଭୟାରଣ୍ୟର ଏହି ଅଞ୍ଚଳରେ ସବୁଦିନେ ହାତୀଙ୍କ ଚଳପ୍ରଚଳ ରହିଥାଏ। ଏହାର ସୁଯୋଗ ନେଇ ଶିକାରୀମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଥିଲା। ଘଟଣାସ୍ଥଳରୁ ବନ ବିଭାଗ ତାର ଜବତ କରିବା ପରେ ତନାଘନା କରି ୬ ଜଣଙ୍କୁ ଗିରଫ କରିଛି । ଜବତ ଦୁଇଟି ଦାନ୍ତର ଓଜନ ୩କେଜି ହେବ ବୋଲି ଡିଏଫଓ କହିଛନ୍ତି । ଗିରଫ ଶିକାରୀମାନେ ହେଲେ ତୁଷାର ଘଣ୍ଟ, ସୁମନ୍ନ ଘଣ୍ଟ, ଶତ୍ରୁଘ୍ନ ସାହୁ, ସନ୍ତୋଷ ନାୟକ, ସନାତନ ନାୟକ ଏବଂ ଗଣିଆ ଅଞ୍ଚଳର ବେପାରୀ ଅବଦୁଲ୍ଲ ସଲିମ ଖାଁ । ସଲିମ ଦୁଇଟି ଦାନ୍ତକୁ ୧୨ହଜାର ଟଙ୍କାରେ ଶିକାରୀଙ୍କ ଠାରୁ କିଣି ରଖିଥିଲା । ସଲିମ ପୂର୍ବରୁ ମଧ୍ୟ ବାଘଛାଲ କାରବାର ଘଟଣାରେ ଗିରଫ ହୋଇଥିଲା ବୋଲି ଡିଏଫଓ କହିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ।
Related posts
-
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା... -
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
ପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...