ଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସର ଆନ୍ଦୋଳନ ଧମକ

ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି। ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି। ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି। ଗତ ରଥଯାତ୍ରା ଠାରୁ ଦଶପଲ୍ଲାକୁ ଟ୍ରାଏଲ ରନ କରାଯାଇ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ ସମୟ ଗଡ଼ାଇଗଡ଼ାଇ ଦଶପଲ୍ଲା ଜନସାଧାରଣଙ୍କୁ ବିଜେପି ସରକାର ଭଣ୍ଡାଇ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜନୈତିକ ଅଭିଶନ୍ଧି କାରଣରୁ ଗତ ଡିସେମ୍ବର ୧ ତାରିଖ ରେ ରେଳ ଗଡ଼ିବା ନେଇ ଦଶପଲ୍ଲା ବାସୀ ଙ୍କ ପ୍ରତୀକ୍ଷା ଅନ୍ତ ଘଟିଛି। ଏ ନେଇ ଦଶପଲ୍ଲା ନାଗରିକ କମିଟି, ନୟାଗଡ ନାଗରିକ କମିଟି ପୃଥକପୃଥକ ଭାବେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତଥାପି ରେଳ ଗଡି ପାରିଲାନି। ଦଶପଲ୍ଲାକୁ ରେଳ ଗଡ଼ିବା ନେଇ ସ୍ଥାନୀୟ ସାଂସଦ ଯେତିକି ପ୍ରାଧାନ୍ୟ ଦେଇ ସଂସଦରେ ପ୍ରସଙ୍ଗ ଉତ୍ଥାପନ କରୁନଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ମଧ୍ୟ କଂଗ୍ରେଡ଼ ଦାୟୀ କରିଛି। କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଦଳିତ ନେତା ଅମୀରଚାନ୍ଦ ନାୟକ, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ସରୋଜ ପରିଡା, ସୁକାନ୍ତ ଶତପଥୀ, କାଶୀନାଥ ନାୟକ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ବୁଲୁ ପରିଡା, ଅଶୋକ ନାୟକ, ଅଶୋକ ଚୌଧୁରୀ, ଶ୍ରୀକାନ୍ତ ଗୁରୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related posts