ନୟାଗଡ଼, (ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ଵାନରେ କାଜୁ ପଦର ଉପରେ ପାରମ୍ପରିକ ଓ ନୀତିଗତ ଅଧିକାର ପାଇଁ ଚାଲିଥିବା ନୀତିଗତ ଆନ୍ଦୋଳନ ସଫଳତାର ସୋପାନ ଅତିକ୍ରମ କରିଛି। ଆଜି ଓଡଗାଁ ବ୍ଳକର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ଓ ରୋହିବାଙ୍କ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ନୟାଗଡ଼ କଲେଜ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଟୁଆରରେ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ନେତା ପବିତ୍ର ଇନ୍ଦ୍ରଜିତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପଦର ଜମିରେ ହୋଇଥିବା ୧୧୦ହେକ୍ଟର କାଜୁ ଫଳନ୍ତି ଫସଲକୁ ବନ ଉନ୍ନୟନ ନିଗମ ମାତ୍ର ୧୦ହଜାର ଟଙ୍କାରେ ତିନିବର୍ଷ ପାଇଁ ବାହାର ଜିଲ୍ଲାର ମାଫିଆ ବେପାରୀଙ୍କୁ ନିଲାମ ଦେବା ଏବଂ ଗ୍ରାମବାସୀଙ୍କ ଅଗୋଚରରେ ଏହା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ବାତିଲ ହେବା ଦରକାର। ପ୍ରତିନିଧି ମଣ୍ଡଳୀ ଏହି ଦାବି ନେଇ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କୁ ଭେଟିଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ଆଦିବାସୀ ମାନଙ୍କ ଦାବିକୁ ସମ୍ମାନ ଜଣାଇ ଜନ ଅସନ୍ତୋଷ ଦୃଷ୍ଟିରୁ ଉକ୍ତ ଲିଜ ବାତିଲ କରିବାକୁ ବନ ଉନ୍ନୟନ ନିଗମକୁ ପତ୍ର ଲେଖିଛନ୍ତି। ଏହା ଆନ୍ଦୋଳନର ବିଜୟ ବୋଲି ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି ଓ ସମ୍ପୃକ୍ତ ଗ୍ରାମବାସୀ ମାନେ ସହଯୋଗିତା ଭିତ୍ତିରେ ଏହି ଫସଲର ପରିଚାଳନା ଭାର ହାତକୁ ନେବାପାଇଁ ଆହ୍ଵାନ ଦେଇଛନ୍ତି। ଆଦିବାସୀ ନେତା ନକୁଳ ପ୍ରଧାନ, ଜଗବନ୍ଧୁ ଜାନୀ, ଭଗବାନ ପ୍ରଧାନ, ଦୁତିକୃଷ୍ନ ପ୍ରଧାନ, ନାରାୟଣ ପ୍ରଧାନ, ଅମର ପ୍ରଧାନ, ଶାନ୍ତି ପ୍ରଧାନ, ବଇରୀ ପ୍ରଧାନ, ଭ୍ରମର ଜାନୀ, ମାଧବ ଜାନୀ ପ୍ରମୁଖ ଆନ୍ଦୋଳନ ପରିଚାଳନା କରୁଥିଲେ।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...