ନୟାଗଡ଼ ଶ୍ରୀ ଶ୍ଯାମ୍ ସୋରୁମରେ ଭୟାବହ ଅଗ୍ନିକାଣ୍ଡ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ରୁ ଉର୍ଦ୍ଧ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି।

ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ, ନୂଆଗାଁ, ଖଣ୍ଡପଡାରୁ ୪ଟି ଦମକଳଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ ଆୟତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏପରିକି ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନଘର ଭାଙ୍ଗିବାକୁ ପଡିଥିଲା । ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ କହିଥିବାବେଳେ ସିଲିଙ୍ଗରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଦୋକାନ ମାଲିକ କହିଛନ୍ତି।

Related posts