ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୭କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟର ବିକାଶକୁ ଯଥେଷ୍ଟ ଗୁରୁତ୍ଵ ଦେଉଥିବା ବେଳେ ଗ୍ରାମାଞ୍ଚଳର କିପରି ବିକାଶ ଘଟିବ ସେଥିପ୍ରତି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ପ୍ରତି ପଞ୍ଚାୟତ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ମୋଟ ୨ହଜାର ୯୨୪ଟି ପ୍ରକଳ୍ପ ପାଇଁ ୯୭କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ପୂର୍ବରୁ କରିଥିବା ଜନଶୁଣାଣି କାର୍ଯ୍ୟକ୍ରମ ତଥା ଜିଲ୍ଲା ଗସ୍ତ ଅନୁସାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ମଧ୍ୟ ପ୍ରଯ୍ୟାପ୍ତ ପରିମାଣର ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଛି ।

ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଓଡଗାଁ ବ୍ଲକରୁ ସରପଞ୍ଚ ଦୀପ୍ତିରଞ୍ଜନ ପରିଡ଼ା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା ବ୍ଲକରୁ ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକରୁ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ନୂଆଗାଁରୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ବ୍ଲକରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଭାପୁର ବ୍ଲକରୁ ଅଧ୍ଯକ୍ଷା ସାବିତ୍ରୀ ପ୍ରଧାନ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଉଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ପ୍ରଶଂସା କରିଥିବାବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ନୟାଗଡ଼ରୁ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ଼ ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଗ୍ରାମାଞ୍ଚଳକୁ ସହରାଞ୍ଚଳର ସୁବିଧା ଯୋଗାଇ ଦେବା ପାଇଁ ୨୦୦୭ମସିହାରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଜି ବାସ୍ତବ ରୂପ ନେଇଛି ଏବଂ କାର୍ଯ୍ୟକାରୀ ହୋଇଥିବା କହିଛନ୍ତି । ଗାଁ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି, ମହିଳା ବିକାଶଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଉନ୍ନତି ହୋଇ ଚାଲିଥିବା ବେଳେ ଏବେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ରୂପାନ୍ତରଣ ହୋଇ ପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ରେ କେବଳ ୧୦ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

