ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ

ନୟାଗଡ: ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କଲେ ଜିଲ୍ଲାପାଳ ଡଃ. ପୋମା ଟୁଡୁ। ଜିଲ୍ଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚଶିକ୍ଷା ଵିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ, ମାସ୍କ ବ୍ୟବହାର ନ କରିବା, ଆମକୁ କରୋନା ହେବ ନାହିଁ ବୋଲି ଭାବନା ତଥା ଲକ୍ଷଣ ଗୁଡିକୁ ଅତି ହାଲକା ଭାବେ ଗ୍ରହଣ କରି ରୋଗୀକୁ ଘରେ ଲୁଚାଇବା, ସଂଘରୋଧରେ ନ ରହିବା ଆଦି । ଏହାଛଡ଼ା ଗାଁ ଗାଁରେ ଅଷ୍ଟ ପ୍ରହରୀ, ଭୋଜି ଭାତ, ବିବାହ ଆଦି କାର୍ଯ୍ୟକ୍ରମରେ ଅତ୍ୟଧିକ ଗହଳି, ଗାଁ ଗାଁରେ ମେଳି ହୋଇ ତାସ ଖେଳ ଇତ୍ୟାଦି । ମାନ୍ୟବର ମନ୍ତ୍ରୀ ଡ଼ଃ ସାହୁ ଅତି ଦୁଃଖର ସହିତ ଏଗୁଡ଼ିକୁ ନ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଛନ୍ତି। ଡ଼ଃ ସାହୁ କହିଛନ୍ତି, ଜିଲ୍ଲାର ଜିଲ୍ଲାପାଳ ଓ ପ୍ରଶାସନ ବହୁତ ଚେଷ୍ଟା ଚଳାଇଛନ୍ତି ଏହି ମହାମାରୀ ଘାତକକୁ ଅଟକାଇବା ପାଇଁ ଏବଂ ସେ ବହୁତ ଭଲ କାମ କରୁଛନ୍ତି ।

ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ଲୋକ ମାନଙ୍କୁ ସଚେତନ କରିବା, ପ୍ରଶାସନକୁ ଜଣାଇବା ଆଦି କାର୍ଯ୍ୟକ୍ରମମାନ ସରପଞ୍ଚ ଦେଖିପାରିବେ। ବେଳେବେଳେ କିଛି ଅଭିଯୋଗ ଆସୁଛି ଯେ କଣ୍ଟେନମେଣ୍ଟ ଅଂଚଳର ଲୋକ ବାହାରକୁ ଆସୁଛନ୍ତି । ଏ ସବୁକୁ ଜଣେ ସରପଞ୍ଚ ଚାହିଁଲେ ଅଟକାଇ ପାରିବେ । ଜିଲ୍ଲାପାଲ ଲୋକ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ କହିଛନ୍ତି । ଏହି ବୈଠକରେ ଉପସ୍ଥିତ ଦୁଇ ବିଡିଓ, ନିର୍ବାହୀ ଅଧିକାରୀ, ତହସିଲଦାର ତଥା ମେଡିକାଲ ଅଫିସରଙ୍କ ଠାରୁ କୋଭିଡର ପ୍ରତିଟି ବିଷୟ ଉପରେ ସମୀକ୍ଷା କରି କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ରୋଗୀଙ୍କୁ RRT ଟିମ ମାଧ୍ୟମରେ ଯୋଗାଯୋଗ କରା ଯାଉଛି, ଜିଲ୍ଲାରେ ମେଡିସିନ୍ ଗଛିତ ଅଛି । ILI ଆଉ ସାରି ଉପରେ ଗୁରୁତ୍ୱ ଦେବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ଆହୁରି ମାଇକ୍ରୋ କଣ୍ଟେନମେଣ୍ଟ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତହସିଲଦାର ମାନଙ୍କୁ କହିଛନ୍ତି। ଏହି ବୈଠକରେ ଏହି ମଣ୍ଡଳୀର ସରପଞ୍ଚ, ଜିଲ୍ଳା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ , ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡ଼ି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts