ବ୍ରଜ କିଶୋର ମହାପାତ୍ର
ଦୁଃଖ ଯେତେ ଦେବ ଦିଅ ମହାବାହୁ
ସହିବାକୁ ଦିଅ ଶକ୍ତି,
ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ
ହୃଦେ ଭରିଦିଅ ଭକ୍ତି ॥
ଜଞ୍ଜାଳ କାମନା ବିଷୟ ବାସନା
ଦେହେ ରଖିଛି ସାଇତି,
ତୁମ୍ଭେ ଦୟାକଲେ ହେ! ଦୟାସାଗର
ବିଷୟାରୁ ହେବି ମୁକ୍ତି ॥
ତୁମ୍ଭ ଇସାରାରେ ଏ ସଂସାର ଚାଲେ
ପ୍ରଭୁ ତ ଜଗତ ପତି,
ଯାହା ଭାଗ୍ୟେ ଯାହା ଅଛି ଚଉବାହା
ଭୋଗେ ସିଏ ଦିବାରାତି ॥
ସତ୍ୟପଥ ଧରି ଚାଲେ ଅନୁସରି
ତୁମ୍ଭେ ଅଛ ମୋର କତି,
ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ
ଦର୍ଶନେ ମିଲଇ ଶାନ୍ତି ॥
ନିଖିଳ ନିୟନ୍ତା ବିଶ୍ୱ ପିତାମାତା
ଦୟାକର ହେ! ଶ୍ରୀ ପତି,
ମାୟା ସଂସାରରେ ସୁଖ ଦୁଃଖ ଭୋଗୀ
ମନ ପକ୍ଷୀ ଚାହେଁ ମୁକ୍ତି ॥
ଭବ ବୋଇତରେ ନାଉରୀ ତୁମ୍ଭେ ତ
ଦିଅନ୍ତୁ ପରମ ଗତି,
ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ
କରୁଛି ସଦା ମିନତୀ ॥
ଗ୍ରା/ପୋ- ପଞ୍ଚରିଡା, ମାନପୁର
ଭାୟା- ଶରଣକୁଳ, ନୟାଗଡ