ଓଡ଼ଗାଁ: କରୋନା ଦିନକୁ ଦିନ ବଢିଚାଲିଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ପଞ୍ଚାୟତ ଝାଡ଼ସାହିରେ ୪ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ଖବର ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସେହି ଗାଁରେ ପହଁଚି ଘରକୁ ଘର ବୁଲି ସର୍ଭେ କରିଛନ୍ତି। ସେଠାର ଲୋକମାନେ ଭୟଭୀତ ହୋଇ ରହିବା ସହିତ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇ ରଖୁଥିବାରୁ ସେମାନଙ୍କୁ ଅଧର୍ଯ୍ୟ ନହୋଇ ସତ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, କାଶ କିମ୍ବା ଜ୍ଵର ହେଲେ ତୁରନ୍ତ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଜଣାଇବା ପାଇଁ କୁହାଯାଇଥିଲା। ଗତକାଲି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା କୁମାରୀ ଡାକୁଆଙ୍କ ପରିବାରର ୨ପୁଅ ପ୍ରଭାତ, ଋଷିଆ ଓ ବୋହୁ ମାମାଲି ଆକ୍ରାନ୍ତ ଚିହ୍ନଟ ପରେ ଆଜି ଚାନ୍ଦପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଵାସ୍ଥ୍ୟ ବିଭାଗର ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ରଞ୍ଜନ ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ସୁଜାତା ମହାପାତ୍ର, ଅଙ୍ଗନବାଡି କର୍ମୀ ସଙ୍ଗୀତା ମିଶ୍ର ଓ ଆଶାକର୍ମୀ ଗୀତାଞ୍ଜଳି ଡାକୁଆ ଏହି ଟିମରେ ସାମିଲ ଥିବାବେଳେ ଖୁବଶୀଘ୍ର ଗ୍ରାମର ପ୍ରତ୍ୟେକଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।
ଗୋଟିଏ ଦିନରେ ୪ମୃତ ଘଟଣା, ଗାଁରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ
