ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ କବି, ଲେଖକ, ସାହିତ୍ୟ ବିଶାରଦ, ପ୍ରବଚକ ଓ ସଂସ୍କୃତ ଭାଷା ପଣ୍ଡିତ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସଭା ଇଟାମାଟିସ୍ଥ “ଚନ୍ଦ୍ରକାନ୍ତି ନିଳୟ” ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ସ୍ମୃତିଚାରଣ ସଭାରେ ନୟାଗଡ଼ ଜିଲ୍ଲା ଓ ଜିଲ୍ଲା ବାହାରର ଶତାଧିକ କବି, ଲେଖକ ଓ ଶିକ୍ଷାବିତ ଏକତ୍ରିତ ହୋଇଥିଲେ l ଏଥି ସହିତ ସ୍ବର୍ଗତ ପ୍ରଧାନଙ୍କ ବାଲ୍ୟ ସହପାଠୀ ଓ ଶିକ୍ଷକତା ସମୟର ଅନେକ ସହକର୍ମୀ ମଧ୍ୟ ଏକତ୍ରିତ ହୋଇଥିଲେ l

ବଶିଷ୍ଟ କବି ତଥା ଚନ୍ଦ୍ରମଣି ପ୍ରଧାନଙ୍କ ବନ୍ଧୁ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସ୍ମୃତିଚାରଣ ସଭାରେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଶିକ୍ଷାବିତ ଚକ୍ରଧର ପଟ୍ଟନାୟକ, ଶିଶୁ ସାହିତ୍ୟିକା ବସିରନ ବିବି, ଓଡିଶା ସାହିତ୍ୟ ଏକାଡେମୀର ନୟାଗଡ଼ ପ୍ରତିନିଧି ଅଶୋକ କୁମାର ନାୟକ,ନାଟ୍ୟକାର କମ୍ରେଡ ବିଶ୍ୱନାଥ ମହାପାତ୍ର, କବି ତଥା ଶିକ୍ଷାବିତ ଗୋଦାବରୀଶ ମିଶ୍ର, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପଧାନୀ ବୃନ୍ଦାବନ ମହାପାତ୍ର ଓ ପରମ୍ପରା ସାହିତ୍ୟ ସଂସଦର ସମ୍ପାଦକ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୁଖ ଅତିଥି ଭାବରେ ମଞ୍ଚସୀନ ହୋଇ ସ୍ବର୍ଗତ ଚନ୍ଦ୍ରମଣି ପଣ୍ଡିତଙ୍କ ବହୁମୁଖୀ ପ୍ରତିଭା ଓ ସାହିତ୍ୟ ସର୍ଜନା ଉପରେ ଆଲୋକପାତ କରିଥିଲେ l

ସଭାରମ୍ଭରେ ସ୍ବର୍ଗତ ଚନ୍ଦ୍ରମଣି ପଣ୍ଡିତଙ୍କ ପ୍ରତିମୂର୍ତ୍ତି ଅନାବରଣ ସହିତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l ପରେ ପରେ ସ୍ବର୍ଗତ ପ୍ରଧାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଅର୍ଘ୍ୟ “ଚନ୍ଦ୍ରାୟନ” ଓ ତାଙ୍କ ସହଧର୍ମିଣୀଙ୍କ ତଥା ବିଶିଷ୍ଟ ସାହିତ୍ୟିକା ଡ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ପ୍ରକାଶିତ କବିତା ପୁସ୍ତକ “ଭାବ କୈବଲ୍ୟ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପ୍ରାରମ୍ଭରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ତଥା କବି ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ କବିତା ପାଠକୁ କବି ଶୀତୁପ୍ରକାଶ ରଥ ସଂଯୋଜନା କରିଥିଲେ l ସଭା ଶେଷରେ ସ୍ବର୍ଗତ ପ୍ରଧାନଙ୍କ ଜ୍ୟେଷ୍ଠପୁତ୍ର କାବ୍ୟଜ୍ଞ ସ୍ଥିତିପ୍ରଜ୍ଞ ଧନ୍ୟବାଦ ଅର୍ପଣ କରିଥିଲେ l
