ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦ୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଷୋଳ ଲକ୍ଷ ପଞ୍ଚାଅଶୀ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୧ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୬ଟି ଏବଂ ବିବାହଜନିତ ୧୦ ମାମଲା ଫଇସଲା କରାଯାଇଥିଲା ।

ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୦ ଜଣ ଋଣ ଗ୍ରହିତାଙ୍କଠାରୁ ୮୦,୬୯, ୫୭୧ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୯୭ ମାମଲା ଫଇସଲା କରାଯାଇ ୨୫୫୦ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ବିଶ୍ବଜିତ ନାୟକ, ବରିଷ୍ଠ ଦେୱାନି ବିଚାରପତି (ଏଲ. ଆର. ଆଣ୍ଡ ଏଲ. ଟି. ଭି.) ପବିତ୍ରାନନ୍ଦ ପ୍ରଧାନ, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକସୋ ) ନିରଞ୍ଜନ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ (ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୦୯.୧୨.୨୦୨୩ ରିଖ ଦ୍ଵିତୀୟ ଶନିବାର ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧିକରଣର ସଚିବ ବିଶେଷ କୁମାର ସାହୁ ଜନ ସାଧାରଣଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ ।
