ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କର ଥଇଥାନ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଦୈନିକ ସମ୍ବାଦପତ୍ର “ସମାଜ”ର ୦୧.୦୯.୨୩ ତାରିଖରେ ପ୍ରକାଶିତ ଶୀର୍ଷକ “ବୃଦ୍ଧ ଦମ୍ପତିଙ୍କ ଠିକଣା ପାଲଟିଛି ବିଦ୍ୟାଳୟ ବାରଣ୍ଡା” ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଦୃଷ୍ଟି ଗୋଚର ହୋଇଥିଲା । ପରିଣତ ବୟସରେ ପୁଅ-ବୋହୁ ନ ପଚାରିବାରୁ ଖଣ୍ଡପଡ଼ା ବ୍ଲକ କୀଆଝର ପଞ୍ଚାୟତ ସାତ ଗୋଛିଅ ଗ୍ରାମର ମୂଳିଆ ନାୟକ(୨୦) ଓ ପତ୍ନୀ ସୁବର୍ଣ୍ଣ(80) ଅସହାୟ ଅବସ୍ଥାରେ ବିଦ୍ୟାଳୟ ବାରଣ୍ଡାରେ ପଡିରହିଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ, ନୟାଗଡ଼ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଖଣ୍ଡପଡ଼ା ତାଲୁକ ଆଇନ ସେବା କମିଟିର ଗ୍ରାମୀଣ ସ୍ୱେଛାସେବି ଜୟନ୍ତୀ ବେହେରାଙ୍କୁ ବୃଦ୍ଧ ଦମ୍ପତିଙ୍କ ସହିତ ସାକ୍ଷାତ କରି ସେମାନଙ୍କ ବିଷୟରେ ବୁଝିବା ପାଇଁ ପଠେଇଥିଲେ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହ୍ନରଙ୍କ ସହିତ ଯୋଗାଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରଶାସନଙ୍କ ସହଯୋଗଯୋଗୁଁ ବୃଦ୍ଧ ଦମ୍ପତିଙ୍କୁ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୀତ୍ଵାସା ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ କରାଯାଇ ଥଇଥାନ କରାଯାଇଥିଲା । ଆସନ୍ତା ଦିନରେ ଜିଲ୍ଲା ଆଇନସେବା ପ୍ରାଧିକରଣରେ ଅବସ୍ଥାପିତ ଜିଲା ବୁଝାମଣା କେନ୍ଦ୍ର ମାଧ୍ୟମରେ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ବୋହୁଙ୍କ ସହିତ ମିଳାମିଶା କରାଯିବ ବୋଲି ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ମତବ୍ୟକ୍ତ କରିଥିଲେ ।

Related posts