ଚନ୍ଦ୍ରାୟନ ଟିମରେ ନୟାଗଡ଼ ଜିଲ୍ଲାର ଦୁଇ ଯୁବ ବୈଜ୍ଞାନିକ ତଥା ଭାପୁରର ଆଶିଷ ଓ ଓଡ଼ଗାଁର ପୀୟୂଷକାନ୍ତିଙ୍କୁ ଶୁଭେଚ୍ଛାର ସୁଅ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ଏହି ଟିମ୍‌ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ସାନସହରା ଗ୍ରାମର ଯୁବ ବୈଜ୍ଞାନିକ ଆଶିଷ ପଟ୍ଟନାୟକ ଓ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ବୈଜ୍ଞାନିକ ପୀୟୂଷକାନ୍ତି କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୂଚନା ମିଳିଛି। ଦୁଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଓ ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଟ୍ଟନାୟକଙ୍କ ନାତି ଏବଂ ତାଙ୍କ ପିତା ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀଧର ପଟ୍ଟନାୟକ ଓ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ପଟ୍ଟନାୟକ। ସେ ଇସ୍ରୋ ଶ୍ରୀହରିକୋଟାରେ ୨୦୦୬ ମସିହାରୁ ବୈଜ୍ଞାନିକ ଭାବେ ଯୋଗଦାନ କରି କାର୍ଯ୍ୟ କରିଆସୁଛନ୍ତି। ସେ ରକେଟ୍ ତଥା ଚନ୍ଦ୍ରଯାନର ବ୍ୟବହୃତ ଶୁଷ୍କ ଇନ୍ଧନ ପ୍ରସ୍ତୁତି ବିଭାଗରେ ପ୍ରମୁଖ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ତାଙ୍କୁ ଭାପୁର ଓ ଖଣ୍ଡପଡ଼ା ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ବ୍ଲକ୍‌ ବିଜେଡି ସଭାପତି ଜିତେନ୍ଦ୍ର ରଣସିଂହ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ଧଳ, ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ବର ଶତପଥୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କାର୍ଯ୍ୟରେ ବୈଜ୍ଞାନିକ ପୀୟୂଷକାନ୍ତି କର ରକେଟ୍‌ (ଏମ୍-୪) ପ୍ରଜ୍ବଳନ କରି ଆକାଶକୁ ଉତ୍‌କ୍ଷେପଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସାମଗ୍ରୀର ସଂରକ୍ଷଣ, ପରୀକ୍ଷଣ ଓ ସଂଯୋଗୀକରଣ ଦାୟିତ୍ବରେ ରହି ୨୦ ଜଣିଆ ବୈଜ୍ଞାନିକ ଦଳର ନେତୃତ୍ୱ ନେଇଥିବା ଶ୍ରୀ କରଙ୍କ ଅବଦାନ ଅତୁଳନୀୟ। ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣଠାରୁ ଅବତରଣ ପର୍ଯ୍ୟନ୍ତ ୪୨ଦିନ ଯାତ୍ରାରେ ବିଭିନ୍ନ ସମୟରେ ଚନ୍ଦ୍ରଯାନକୁ ସଠିକ୍ ନିୟନ୍ତ୍ରଣ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ନୟାଗଡ଼ ଜିଲ୍ଲାର ସୁନାମୁହିଁ ଗ୍ରାମରେ ଜନ୍ମିତ ଶ୍ରୀ କର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍‌ର କାଦୁଆ ମଙ୍ଗରାଜପୁର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ। ସେ ଇସ୍ରୋର ଏକ୍ସକ୍ଲୁସିଭ ବିଭାଗର ଅନୁଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ୨୦୦୮ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣଠାରୁ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗଦେଇ ସ୍ବର୍ଣ୍ଣପଦକ ପ୍ରାପ୍ତ କରିଥିଲେ। ଚନ୍ଦ୍ରଯାନ-୧ ରୁ ୩ ପର୍ଯ୍ୟନ୍ତ ପୀୟୂଷ ୫୦ରୁ ଅଧିକ ରକେଟ୍‌ ଉତ୍‌କ୍ଷେପଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ବର୍ତ୍ତମାନ ଓଡ଼ଗାଁରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଭାଗୀରଥି କରଙ୍କ ସେ ଜ୍ୟେଷ୍ଠପୁତ୍ର।

Related posts