ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ଆଡ୍ଭାଇଜରି କମିଟି ବୈଠକ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠାନରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ୧ମ ତ୍ରୈମାସିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ଗୃହୀତ ହୋଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈୟମାସରେ ୨ଗୋଟି ତାଲିମ କାର୍ଯ୍ୟକ୍ରମରେ ୬୫ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ୧ମ ତ୍ରୈୟମାସିକ କାର୍ଯ୍ୟକ୍ରମରେ ୫ଗୋଟି ତାଲିମ କାର୍ଯ୍ୟକ୍ରମରେ ୧୬୨ଜଣ ତାଲିମାର୍ଥଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ୭ଗୋଟି ତାଲିମ କାର୍ଯ୍ୟକ୍ରମରେ ସର୍ବମୋଟ ୨୨୭ଜଣ ତାଲିମାର୍ଥ ଉପକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ଜଣ ବି.ପି.ଏଲ. ଶ୍ରେଣୀଭୁକ୍ତ ଏବଂ ୯ଜଣ ଅଦ୍ୟାବଧି ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ଆଗାମୀ ୨୦୨୩-୨୪ ୨ୟ ତ୍ରୈମାସିକ ପାଇଁ ୮ଗୋଟି ତାଲିମ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ତାଲିମ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କମ୍ପ୍ୟୁମ ଜୁଏଲାରୀ, ପେପର ବ୍ୟାଗ ଏନଭଲପ୍, ବ୍ୟୁଟିପାର୍ଲର, ଛତୁଚାଷ, ମହୁଚାଷ, ଧୂପକାଠି ନିର୍ମାଣ, ମହିଳାମାନଙ୍କୁ ସିଲେଇ ଶିକ୍ଷା ଇତ୍ୟାଦି କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୂଚାରୁ କୁମାର ବଳ, ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧ୍ୟାକାରୀ ସୁରେନ୍ଦ୍ର କୁମାର ସାହୁ, ପାଣିପୋଇଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମିଶନଶକ୍ତି ଶ ସମିଧା ପାଢ଼ୀ, ଅଧ୍ୟକ୍ଷ ଆଇ.ଟି.ଆଇ. ଖୁଣ୍ଟୁବନ୍ଧ, ଓରମାସର ନଟବର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।