ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ସଭାପଣ୍ଡିତ ଏହି ପ୍ରଖ୍ୟାତ ଆଶୁ କବି ଯଦୁମଣି ମହାପାତ୍ର ନୟାଗଡ଼ ନିକଟସ୍ଥ ଇଟାମାଟି ଗ୍ରାମରେ ଅବସ୍ଥାନ କରୁଥିଲେ । ହାସ୍ୟରସ ଓ ବ୍ୟଙ୍ଗସାହିତ୍ୟ ଜଗତର ସେ ଜଣେ ବିସ୍ମୟ ପ୍ରତିଭା ଥିଲେ । ସମସାମୟିକ ବହୁ ରାଜଦରବାରରେ ସେ ସମ୍ମାନୀତ ହୋଇଥିଲେ । କିନ୍ତୁ ନିଜର ‘ନିର୍ଭୀକ’ ଗୁଣଲାଗି ଜୀବନରେ ବହୁବାର ସେ ଅବହେଳାର ଶିକାର ମଧ୍ୟ ହୋଇଛନ୍ତି । ଏହି ପ୍ରସିଦ୍ଧ କବି ‘ଉତ୍କଳଘଣ୍ଟ’ ନାମରେ ଓଡ଼ିଶାର ଘରେଘରେ ପରିଚିତ । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଗ୍ରନ୍ଥଦ୍ୱୟ ଏହି କବିଙ୍କର ପାଣ୍ଡିତ୍ୟ ଓ ବହୁଶାସ୍ତ୍ର ନିପୁଣତାର ପରିଚୟ ପ୍ରଦାନକରେ ।
ଯଦୁମଣି ମହାପାତ୍ର- (୮ ଜାନୁଆରୀ ୧୭୮୧ – ୨ ଜୁଲାଇ ୧୮୬୬) ନୟାଗଡ଼ ଜିଲ୍ଲାର ଇଟାମାଟି ଗାଁରେ ୧୭୮୩ ମସିହାରେ ଜନ୍ମିତ ଜଣେ କବି ଥିଲେ। ସେ ଉତ୍କଳଘଣ୍ଟ ଭାବରେ ଖ୍ୟାତ । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡ଼ା ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି ଓଡ଼ିଶାର ପୁରପଲ୍ଲୀରେ ଭାରି ପ୍ରସିଦ୍ଧ ।
ଜନ୍ମ
ଆଠଗଡ଼ ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ । ସେ ରଣପୁରଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ଶୋଭାଙ୍କର ସନ୍ତାନ କେହି ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ବିଗ୍ରହଙ୍କୁ ଆରାଧନା କରୁଥିଲେ । ପରେ ୧୭୮୧ ମସିହା ଜାନୁଆରୀ ଆଠତାରିଖରେ ତାଙ୍କର ପୁତ୍ର ଜନ୍ମ ହେଲା । ଯଦୁକୃଷ୍ଣଙ୍କ ଅନୁକମ୍ପାରୁ ପୁତ୍ର ହୋଇଥିବାରୁ ମୁକୁନ୍ଦ ନିଜ ପୁଅର ନାଆଁ ‘ଯଦୁମଣି’ ରଖିଲେ। ସ୍ଥପତି ବଂଶରେ ଜନ୍ମଲାଭ କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ। ବଢ଼ାଇ ଜାତିରେ ଜନ୍ମିତ ହୋଇଥିବାରୁ ସେ ଆରମ୍ଭରେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପରେ ତାଙ୍କ ପାଣ୍ଡିତ୍ୟ ହେତୁ ସେ ରାଜଦରବାରମାନଙ୍କରେ ଆଦର ଲାଭ କଲେ । ଏହି କଥାକୁ ସେ ନିଜ କାବ୍ୟର ପ୍ରଥମାଂଶରେ ଲେଖିଛନ୍ତି :
ଶୂଦ୍ରମୁଖୁ ଏ ହୋଇଛି ବାହାର
ରୌଦ୍ରତା ବହି କେହି ନ ବିଚାର
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ପଦ୍ମାପତିଙ୍କର ପଦ ଯେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।
—ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
ଶିକ୍ଷା
ଯଦୁମଣିଙ୍କ ମାତା ଶୋଭା ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ସେ ଏସବୁ ଶୁଣିବାକୁ ପାଉଥିଲେ । ବାର ବର୍ଷ ବୟସରେ ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ଜଣେ ସଂସ୍କୃତ ପଣ୍ଡିତଙ୍କଠାରୁ ଯଦୁମଣି ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ । ଚାରି ବର୍ଷ ଅଧ୍ୟୟନ ପରେ ସେ ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ଘୁମୁସର ଯାତ୍ରା କରିଥିଲେ ।
ହୟଗ୍ରୀବ ମନ୍ତ୍ର
ଘୁମୁସରର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ଓଡ଼ିଶାର ବିଖ୍ୟାତ ପଣ୍ଡିତ ଥିଲେ । ଶିଷ୍ୟର ଏକାଗ୍ରତା ପରୀକ୍ଷା କରିବା ପାଇଁ ବାହିନୀପତି ଯଦୁମଣିଙ୍କୁ ହୟଗ୍ରୀବ ମନ୍ତ୍ର ସାଧନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଶହେ ଦଶଦିନ ଏହି ମନ୍ତ୍ରଜପ କରିବା ପରେ ଯଦୁମଣି ଜ୍ୱରପୀଡ଼ିତ ହୋଇ ଅବଶିଷ୍ଟ ଦଶଲକ୍ଷ ଥର ମନ୍ତ୍ରଜପ କରିପାରିନଥିଲେ । ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ କରିପାରିନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତିରେ ରହିଛି । ଅଠର ବର୍ଷ ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳକୁ ଦଶପଲ୍ଲା କୁଞ୍ଜଗଡ଼କୁ ଯାଇଥିଲେ । ସେଠାରେ ତାଙ୍କ ଅଜା ରହୁଥିଲେ । କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍ଙ୍କ ସହ ଯଦୁମଣିଙ୍କ ପରିଚୟ ହୋଇଥିଲା । ଏହାଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର, ପୁରାଣ, କାବ୍ୟଚର୍ଚ୍ଚା ଇତ୍ୟାଦିରେ ଯଦୁମଣି ଯୋଗ ଦେଇଥିଲେ।
ଖଞ୍ଜନା
ଯଦୁମଣି ପ୍ରତିଦିନ ଯାଇ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ । ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି । ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧାରଙ୍କ ଝିଅ ଖଞ୍ଜନା ଅନ୍ୟତମ । ରାୟଗୁରୁ ଓ ସୂତ୍ରଧାରଙ୍କ ଆଶୀର୍ବାଦ ସହ ଯଦୁମଣି ଓ ଖଞ୍ଜନାଙ୍କ ବିବାହ ଅନୁଷ୍ଠିତ ହେଲା । ଖଞ୍ଜନା ନିଜେ ନୃତ୍ୟରେ ନିପୁଣ ଓ ଭଲ ଗାୟିକା ଥିଲେ । ପରବର୍ତ୍ତୀ ଜୀବନରେ ଯଦୁମଣିଙ୍କ ରଚିତ ଅନେକ ଚଉପଦୀ ଗୀତ ଏହି ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ।
ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ସେ ସଭା ଓ ରାଜକବି ଥିଲେ । ଆଠଗଡ଼ର କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ।
ରଚନାବଳୀ
ସାହିତ୍ୟିକ କୃତି
ଯଦୁମଣି ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଥିବା ଜଣାଯାଏ । ରାଘବ ବିଳାସ– (ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ । ଏହା ୪୧ଟି ଛାନ୍ଦରେ ଲିଖିତ।) ଏବଂ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର–(ଏହା ଆଠଗୋଟି କଳାରେ ରଚିତ । କୃଷ୍ଣଲୀଳା ଆଧାରିତ।) ଅନ୍ୟାନ୍ୟ ରଚନା– ଯଦୁମଣି କେତେକ ଭଜନ, ଚଉପଦୀ ଇତ୍ୟାଦି ରଚନା କରିଛନ୍ତି । ସେ ଖଣ୍ଡପଡ଼ା ଓ ନୟାଗଡ଼ (ନବଦୁର୍ଗ) ରାଜାଙ୍କ ଭଣତିରେ କେତେକ ଗୀତ ରଚନା କରିଥିବା ଜଣାଯାଏ ।
ସଙ୍ଗୀତ
ଯଦୁମଣିଙ୍କ ରଚନାବଳୀର ବର୍ତ୍ତମାନ ପ୍ରକାଶିତ ସଂସ୍କରଣଗୁଡ଼ିକରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ରାଗତାଳ ନିର୍ଦ୍ଦେଶ ଦେଖାଯାଏ, ଯଥା ରାଗ ମଧ୍ୟରେ : ତୋଡ଼ି ପରଜ, ପୂରବୀ, ରସକେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ, ମଙ୍ଗଳ ଗୁଜ୍ଜରୀ, ରେଗୁପ୍ତ, ଭାଟିଆରି ଓ ତାଳରେ : ସରିମାନ, ଝୁଲା, ଆଠତାଳୀ, ଏକତାଳୀ, ଆଡ଼ଖେମଟା, ନାତି । ତାଙ୍କ କାବ୍ୟଗୁଡ଼ିକ ଛାନ୍ଦ ରୀତିରେ ପାରମ୍ପରିକ ଓଡ଼ିଆ ଛନ୍ଦ-ବୃତ୍ତରେ ରଚିତ ।
