ଓଡ଼ଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟରରେ ମାସିକ ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରତ୍ୟେକ ବ୍ଲକରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଉକ୍ତ ବୈଠକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କରାଯାଇଥିଲା।ଏ ଅବସରରେ କୋମଣ୍ଡ କ୍ଲଷ୍ଟର ଅନ୍ତର୍ଗତ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ ତରଫରୁ ରାଜ୍ୟ ଏଫ୍.ଏଲ୍.ଏନ୍ ମୁଖ୍ୟ ପ୍ରତିନିଧି ମିସ୍ ଶ୍ୱେତା ଡୋଭାଲ୍।ପ୍ରାଥମିକ ବିଦ୍ୟାଳୟରେ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ତଦାରଖ କରିବା ସହ ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣକାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ।ଏହା ବ୍ୟତୀତ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦେଇ ଚଳିତ ଶିକ୍ଷାବର୍ଷ ଠାରୁ ଆରମ୍ଭ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ନୂତନ ୟୁନିଫର୍ମବଣ୍ଟନ ଓ ୟୁଡାଇସ୍ ପ୍ଲସ୍ ପୂରଣ ଉପରେ ଗୁରୁତ୍ୱ ଦେଇଥିବାବେଳେ ବ୍ଲକ୍ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ ବିଭିନ୍ନ ହାତ ତିଆରି ଶିକ୍ଷଣସାମଗ୍ରୀ ପ୍ରସ୍ତୁତ କରି ଶ୍ରେଣୀ କକ୍ଷରେ ଶିକ୍ଷାଦାନ ଉପରେ ଧ୍ୟାନ ଦେବାକୁ କହିଥିଲେ।ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଞ୍ଜନ କୁମାର ଦାଶ ଓ ମନୋଜ କୁମାର ନାୟକ ମୌଳିକ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହାର ବିଭିନ୍ନ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସିଆରସିସି ଲଳିତ ମୋହନ ମିଶ୍ର ପରିଚାଳନା କରିବା ସହ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ କାହ୍ନୁଚରଣ ମିଶ୍ର ଅତିଥିମାନଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ହାତ ତିଆରି ଶିକ୍ଷଣସାମଗ୍ରୀ ଷ୍ଟଲ୍ ଗୁଡିକ ବୁଲାଇ ଦେଖାଇବା ପରେ ସେମାନେ ଭୂୟସୀ ପ୍ରଶଂସା କରିଥିଲେ।

Related posts