ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୧ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ କାର୍ଯ୍ୟକ୍ଷମ ଥିଲାବେଳେ ଅବଶିଷ୍ଟ ୪ଗୋଟି ବନ୍ଦ ଅଛି ।
ଜିଲ୍ଲାରେ ନୂତନ ୩ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲାଯିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ଵାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବାର ଏକ ପ୍ରମୁଖ କାରଣ । ତେଣୁ ରାଜ୍ୟ ପରାମର୍ଶଦାତା କମିଟି ସୁପାରିସ କ୍ରମେ ସୂଚନାଦାତା ପ୍ରୋତ୍ସାହନ ଯୋଜନା ପ୍ରଣୟନ କରାଯାଇଛି । ନୟାଗଡ଼ ଜିଲ୍ଲାରେ ଏ ସଂପର୍କରେ ଅଭିଯୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ମୋବାଇଲ ନମ୍ବର ୯୪୩୯୯୯୧୪୯୯ ରେ ସୂଚନାଦାତା ସୂଚନା ଦେଇପାରିବେ। ସୂଚନାଦାତାଙ୍କ ବିବରଣୀ ଗୁପ୍ତ ରଖାଯିବ ।
ସୂଚନାଦାତାଙ୍କ ପ୍ରୋତ୍ସାହନ ଯୋଜନା ମୁଖ୍ୟତଃ ଲିଙ୍ଗ ଚୟନ କରି ଗର୍ଭପାତ କରାଉଥିବା କାର୍ଯ୍ୟ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ତଥା ପ୍ରମାଣ ସୁନିଶ୍ଚିତ କରି ଶିଶୁଲିଙ୍ଗ ଅନୁପାତରେ ଉନ୍ନତି ଆଣିବା । ସୂଚନାଦାତାଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ତିନୋଟି କିସ୍ତିରେ ଦେବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା, ଡା. ସୁବାସ ଚନ୍ଦ୍ର ନାୟକ (ADPHO,F.W.-cum-Dist. Nodal Officer, PCPNDT), ଡା.ସୁଧାଂଶୁ ଶେଖର ଷଡ଼ଙ୍ଗୀ (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ-ତଥା- ସୁପରିଟେଣ୍ଡଟ୍), ଡା. ଆଶିଷ ଦିକ୍ଷିତ୍ (ଶିଶୁରୋଗ ବିଶେଷଜ୍ଞ), ଡା. ସିଦ୍ଧାର୍ଥ ଦାଶ(ଭେଷଜ ବିଶେଷଜ୍ଞ), ସୁରେନ୍ଦ୍ର କୁମାର ସାହୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଆକ୍ସନଏଡ୍ର ଇପସିତା ଅଗ୍ରୱାଲ, ଜିଲ୍ଲାର ସମସ୍ତ ପି.ଏଚ.ସି. ଓ ସି.ଏଚ.ସି ଡାକ୍ତର, ଚାନ୍ଦପୁର ଚିକିତ୍ସାଳୟର ଡାକ୍ତରମାନଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।