ବିଶ୍ବ ପରିବେଶ ଦିବସରେ ଓଡ଼ଗାଁରେ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ପାଳନ ବିଶ୍ଵ ଜଳବାୟୁ ପରିବର୍ତ୍ତନ ମନୁଷ୍ୟ ତଥା ଜୀବଜଗତ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ମୁକାବିଲା ପାଇଁ ପ୍ରତିବର୍ଷ ଜୁନ୍ ପାଞ୍ଚ ତାରିଖ ଦିନ ସାରା ବିଶ୍ୱରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥାଏ। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କର୍ମୀ, ଅନୁଷ୍ଠାନ, ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ, ବନ ସୁରକ୍ଷା ସମିତି, ଇକୋ କ୍ଲବ ଇତ୍ୟାଦିକୁ ନେଇ ଗଠିତ ଜିଲ୍ଲା ପରିବେଶ ସୁରକ୍ଷା ସମନ୍ଵୟ ସମିତିର ଏକ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ଆବାହନ କ୍ରମେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ପ୍ରସାଦସ୍ଥିତ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଓମ୍ ଶାନ୍ତି ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲା ବେଳେ ପଦ୍ମଶ୍ରୀ ସାବରମତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଶ୍ଵନାଥ ମହାପାତ୍ର,ଦାମୋଦର ସାହୁ, ଅରୁଣ ମହାନ୍ତି, ଅଧିବାସ ପଣ୍ଡା, ସୁରେଶ ଚନ୍ଦ୍ର ହୋତା, ଅନାଦି ଚରଣ ମହାନ୍ତି, କାମାକ୍ଷା ପ୍ରସାଦ ଦାସ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଫୁଲ୍ଲ କୁମାର ମାଝୀ, ପ୍ରଭାତ କୁମାର ସାହୁ, ନିତ୍ୟାନନ୍ଦ ପ୍ରଧାନ, ପ୍ରଦୀପ୍ତ କୁମାର ବିଶ୍ବାଳ ଇତ୍ୟାଦି ଯୋଗଦେଇ ପରିବେଶ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।

ଗଛ ସାର୍ ଅନ୍ତର୍ଯ୍ୟାମୀ ସାହୁ, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ପ୍ଲାଷ୍ଟିକ ବର୍ଜନ, ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ପଶୁ ପକ୍ଷୀଙ୍କ ଯତ୍ନ ତଥା ଜଳ, ମୃତ୍ତିକା ଓ ବାୟୁ ପ୍ରଦୂଷଣର ଦୂରୀକରଣ ନିମନ୍ତେ ବିଭିନ୍ନ କାର୍ଯ୍ୟ ଭିତ୍ତିକ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ସମ୍ଭବ, ଅରୋମୀରା ଟ୍ରଷ୍ଟ, ପରିବେଶ ସାଥି ,ଫ୍ରେଣ୍ଡସ ଟ୍ରଷ୍ଟ, ମାତୃଭୂମି କୁରାଳ, ଗ୍ରୀନ କ୍ଲବ, ଜଙ୍ଗଲ ସୁରକ୍ଷା ମହାସଂଘ, ଜୁଲି ଅମୂଲ୍ୟ ଫାଉଣ୍ଡେସନ,ସୋ ହମ୍, ନିଃସ୍ୱାର୍ଥ, ମୈତ୍ରୀ, ଚେତନା, ବିପଦର ବନ୍ଧୁ, ବୃକ୍ଷ ଓ ଜୀବର ବନ୍ଧୁ ପରିଷଦ, ଓଡ଼ଗାଁ ବ୍ଲକ ଭିନ୍ନକ୍ଷମ ସଂଘ, ମାଟିର ସ୍ୱର ଇତ୍ୟାଦି ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କରୁ ଶତାଧିକ ପରିବେଶ ପ୍ରେମୀ ଯୋଗଦେଇ ପରସ୍ପରକୁ ଅନୁପ୍ରାଣିତ କରିଥିଲେ।ବିଭିନ୍ନ ସମୟରେ ଓଡ଼ଗାଁ ବ୍ଲକ ବନାଞ୍ଚଳ ଅଧିକାରୀ, କୃଷି ଅଧିକାରୀ, ଉଦ୍ୟାନ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟ ପରିସର ସହ ପରିବେଶ ସୁରକ୍ଷା ସମ୍ବନ୍ଧରେ ଅବଗତ କରାଇଥିଲେ।

ଉତ୍ସର୍ଗୀକୃତ ସେବା ପାଇଁ ଜଙ୍ଗଲ ସୁରକ୍ଷା ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଶ ସୂଚୀ ଶପଥ ପାଠ ମାଧ୍ୟମରେ ସମସ୍ତେ ନିଜ ପରିବେଶ ସୁରକ୍ଷା ପ୍ରତି ଅଙ୍ଗୀକାର ବଧତା ଜଣାଇ ଥିଲେ। ପଥ ପ୍ରାନ୍ତ ନାଟକ, ପାଲା, ସଙ୍ଗୀତ ଆସର, କବିତା ଆବୃତ୍ତି ମାଧ୍ୟମରେ ସଚେତନତାର ବାର୍ତ୍ତା ବଣ୍ଟନ କରାଯାଇଥିଲା। ଦୁଇଦିନର କାର୍ଯ୍ୟକ୍ରମ ଯଥେଷ୍ଟ ନ ହେଲେ ବି ଉପସ୍ଥିତ ଅନେକଙ୍କୁ ପ୍ରଭାବିତ କରିଥିଲା ଯାହାକି ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା କାର୍ଯ୍ୟ ଆଗକୁ ବଢିବାର ଆଶା ସଂଚାର କରିଅଛି। ଆଗାମୀ ଦିନରେ ଏପରି କର୍ମଶାଳା ତଥା ବନ୍ଧୁ ମିଳନ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇ ଅଛି।

Related posts