ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ସହବନ୍ଧିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଦଶପଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ।
ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ଲାଲ ପତାକାକୁ ଜିଲ୍ଲା ସଭାନେତ୍ରୀ ସୁକାନ୍ତି ଜେନା ଉତ୍ତୋଳନ କରିବା ପରେ ସମସ୍ତେ ସହିଦମାନଙ୍କ ଉଦ୍ଦେଶ୍ୟରେ ସହିଦ ବେଦିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହାପରେ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ସିଆଇଟିୟୁର ରାଜ୍ୟ ନେତ୍ରୀ ପୁଷ୍ପା ଦାସ ଉଦଘାଟନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲା କମିଟି ସମ୍ପାଦିକା ଜୟନ୍ତୀ ଦାସ ଜିଲ୍ଲା କମିଟିର ବିବରଣୀ ଉପସ୍ଥାପନ କଲାପରେ ପ୍ରତିନିଧିମାନେ ସେଉପରେ ଆଲୋଚନ କଲାପରେ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ଏହି ସମ୍ମିଳନୀରେ ସଂଗଠନର ଆଗାମୀ ଦିନପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏହି ସମ୍ମିଳନୀକୁ ଓଡ଼ିଶା କୃଷକ ସଭାର ଜିଲ୍ଲା ସଭାପତି ଗୋଲକ ବିହାରୀ ମୁଦୁଲି, ସିଆଇଟିୟୁ ଜିଲ୍ଲା ଆବାହକ ବିଶ୍ବନାଥ ମହାପାତ୍ର, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜିଲ୍ଲା ସମ୍ପାଦିକା ଜ୍ୟୋତି ପ୍ରଭା ଜେନା, ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ଦଶପଲ୍ଲା ବ୍ଲକ୍ ସମ୍ପାଦିକା ସସ୍ମିତା ପଟ୍ଟନାୟକ ଏବଂ ଡିୱାଇଏଫ୍ ଆଇ ଜିଲ୍ଲା ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନ ପାଇଁ ଜୟନ୍ତୀ ଦାସ ସମ୍ପାଦିକା ଓ ସୁକାନ୍ତି ଜେନା ସଭାପତି ଥାଇ ଏକ ପଚିଶ ଜଣିଆ ଜିଲ୍ଲା କମିଟି ନିର୍ବାଚିତ କରାଯାଇଥିଲା। ଶେଷରେ ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଉଦଯାପନୀ ବକ୍ତବ୍ୟ ଦେଲା ପରେ ସମ୍ମିଳନୀକୁ ସମାପ୍ତ କରାଯାଇଥିଲା।

