ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସୟଂଶାସିତ ମହାବିଦ୍ୟାଳୟର
ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଦଶଦିନାତ୍ମକ ଆବିସିକ ପ୍ରଶିକ୍ଷଣ ବର୍ଗର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନାବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗଦେଇ ଅଧ୍ୟକ୍ଷତା କରିବା ସହ ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଲୋକକବି କାଳୀପ୍ରସନ୍ନ ଶତପଥୀ ଯୋଗଦେଇ ସଂସ୍କୃତ ପ୍ରଶିକ୍ଷଣ ଦ୍ଵାରା ବିବିଧ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସମ୍ଭବ ବୋଲି କହିଥିଲେ ।

ବିଶିଷ୍ଟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଦିପ୍ତା ବିଶ୍ଵାଳ ସଂସ୍କୃତ ସାହିତ୍ୟର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଷୟ ବିଶେଷଜ୍ଞ ତଥା ପ୍ରମୁଖ ବ୍ୟବସ୍ଥାପକ ତିରୁପତି, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳାନୁଶାସକ ପ୍ରୋ. ସତ୍ୟନାରାୟଣ ଆଚାର୍ଯ୍ୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଶିକ୍ଷଣବର୍ଗ ପ୍ରମୁଖ ଡ଼ା. ସନ୍ତୋଷ କୁମାର ସାହୁ ଶିବିର ବିବରଣୀ ଏବଂ ଅଧ୍ୟାପକ ତଥା ଶିବିରର ସଂଯୋଜକ ରାଜକିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶିକ୍ଷକ ଭାବରେ ଅମୃତବାଣୀ ପ୍ରଶିକ୍ଷକ ଜୟପ୍ରକାଶ ଶାସ୍ତ୍ରୀ, ରାଜକିଶୋର ଦାଶ, ନଳୀନାକ୍ଷ ଫଡ଼ା, ଦୁର୍ଗା ଶଙ୍କର ଫଡ଼ା, କ୍ୟାପ୍‌ଟେନ୍ ନାରାୟଣ ଦାଶ, ଅଜିତ୍ କୁମାର ସାହୁ ପ୍ରମୁଖ ଯୋଗଦେଇ ସରଳ ସଂସ୍କୃତର ବିଭିନ୍ନ କୌଶଳମାନ ଶିକ୍ଷାଦାନ କରିଥିଲେ । ପରିଚାଳକଭାବେ ବରିଷ୍ଠ ଅଧ୍ୟାପକ ଅଶ୍ବିନୀ କୁମାର ନାୟକ, ଲକ୍ଷ୍ମୀଧର ସାହୁ, ଗଣେଶ ମିଶ୍ର, ବରିଷ୍ଠ କିରାଣୀ ଗିରିଧର ସୁନ୍ଦରା ସୁଚାରୁ ରୂପରେ ଶିବିରର ସମସ୍ତ ଭାର ବହନ କରିଥିଲେ। ଝାଡ଼ପଡ଼ାର ଛାତ୍ରୀ ଶ୍ରୁତିକିରଣ ଦାଶ ଓ ଦଶପଲ୍ଲାର ସୁଶ୍ରୀ ଅନନ୍ୟା ଦାଶ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ସମସ୍ତ ସାଂସ୍କୃତିକ କାର୍ଯ୍ୟରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ତଥା ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

Related posts