ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁଆଁରିଆର ବିକାଶ ହେବା ଲାଗି ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଟଙ୍କାରେ ଏକ ସଂଗ୍ରହାଳୟ ଓ ଶିଶୁ ଉଦ୍ୟାନ ନିର୍ମାଣ ହେବ ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୁଆଁରିଆ ଜଳଭଣ୍ଡାର ପ୍ରାକୃତିକ ଶୋଭାବର୍ତ୍ତନ କରୁଥିବା ସ୍ଥାନରେ କରାଯିବା ନେଇ ଚିହ୍ନଟ କରାଯାଇଛି। ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଜଳଭଣ୍ଡାର ନିକଟରେ ଏକ ବିରାଟ ମୃଗବିହାର ରହିଛି। ବଣଭୋଜି କରିବା ଲାଗି ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ଥାଏ। ବନ୍ଧକୁ ଲାଗି ଏକ ଭବ୍ୟ ମନ୍ଦିରରେ କୁଆଁରୀ ଦେବୀ ପୂଜା ପାଉଥିବାବେଳେ ଏକ କଲ୍ୟାଣ ମଣ୍ଡପ ବି ରହିଛି। ପ୍ରଥମ ପର୍ଯ୍ୟାୟରେ ଜାଗା ଚିହ୍ନଟ ହୋଇଥିଲା ତେବେ ମଞ୍ଜୁର ଟଙ୍କାରେ ଶିଶୁ ଉଦ୍ୟାନ ଓ ସଂଗ୍ରହାଳୟ କରାଗଲେ ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିବ ଏଥରେ ସନ୍ଦେହ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି।
କୁଆଁରିଆ ଡ୍ୟାମ ନିକଟରେ ନିର୍ମାଣ ହେବ ଶିଶୁଉଦ୍ୟାନ ଓ ସଂଗ୍ରହାଳୟ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ସରକାର
