ଭାପୁର: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଫତେଗଡ ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ଏକ ଢାବାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି । ମହାମାରୀ କରୋନାର ଦ୍ବିତୀୟ ଲହର ବୃଦ୍ଧି ପାଉଥିବାରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଏହାର ସୁଯୋଗ ନେଇ ଗାଁ’ ଗହଳି ସବୁଠି ଅସାଧୁ ଚୋରା ମଦବେପାରୀ ମାନେ ଗାଁ ଗହଳିରେ ଚଢ଼ା ଦରରେ ମଦ ବେପାର କରୁଛନ୍ତି । ସୋମବାର ଦିନ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ, ଏଏସଆଇ ନିରଞ୍ଜନ ବେହେରା, କନେଷ୍ଟବଳ ଥିବିର ପଟ୍ଟନାୟକ ସୁମିତ୍ରା ସାମଲ ,ରଞ୍ଜନ ପାତ୍ର ଭାପୁର ବ୍ଲକ ହରିକୋଟି ରାସ୍ତାରେ ଥିବା ଏକ ଢାବାରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲେ । ଚଢ଼ାଉ ବେଳେ ୯୫ ଲିଟର ବିଅର, ୯୨ ଲିଟର ବିଦେଶୀମଦ ଜବତ କରିଛନ୍ତି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୩୧/୨୧ ଏକ ମାମଲା ରୁଜୁ କରି ଢାବାର ମାଲିକ ସର୍ବେଶ୍ୱର ବିହାରୀକୁ କୋର୍ଟ ଚାଲାଣ କରିଥିଲେ। ଲକଡାଉନ ସମୟରେ ଗୋଟିଏ ଢାବାରୁ ଏତେ ପରିମାଣର ମଦ ଜବତ ହେବା ଓ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରିବା ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ଢାବାରୁ ବିପୁଳ ପରିମାଣର ମଦ ଜବତ
