କାଜୁ କର୍ପୋରେସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗ ଆଣିଲେ ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): କାଜୁ ଉନ୍ନୟନ ନିଗମ ମାଫିଆ, ଗୁଣ୍ଡାମାନଙ୍କୁ ହାତବାରିଶି କରି ଓଡ଼ିଶାର ବଣ ଭୂଇଁରେ ଯୁଗ ଯୁଗରୁ ରହି ଆସୁଥିବା ଆଦିବାସୀମାନଙ୍କୁ ପ୍ରତାରିତ କରି ଆସୁଛି। ଏବଂ ପୁରୁଷ ପୁରୁଷ ଧରି ଆଦିବାସୀ ମାନେ ଦଖଲ କରି ଫନ୍ଦା ଫସଲ କରି ଆସୁଥିବା ପାହାଡ଼ି ପଦରରୁ ସେମାନଙ୍କୁ ଉତଖାତ କରି କାଜୁ ବଗିଚା ଆଳରେ ମାଫିଆମାନଙ୍କୁ ତାହାର ଭୋଗ ଅଧିକାର ସମର୍ପଣ କରିଛନ୍ତି ବୋଲି ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଦିବାସୀମାନଙ୍କ ହାତରୁ ଏହି ପଦା ଛଡାଇ ନେଲା ବେଳେ କାଜୁ ବଗିଚାର ଫଳଭୋଗୀ ଅଧିକାର ଆଦିବାସୀମାନଙ୍କ ହାତରେ ରହିବ ବୋଲି ରଙ୍ଗୀନ ପ୍ରତିଶ୍ରୁତି ଦେଇ ଏମାନଙ୍କ ଦ୍ୱାରା ପାଣିଦିଆ, ବାଡ଼ବନ୍ଦି ଓ ଜଗାରଖା କରାଇ ବର୍ତ୍ତମାନ ଫଳନ୍ତି ଗଛକୁ ଚୋରାବେପାରୀ ଗୁଣ୍ଡା ମାଫିଆମାନଙ୍କୁ ଚୋରା ଲୁଚାରେ ହସ୍ତାନ୍ତର କରାଯାଉଛି। ଏବଂ ଜୋରଯାର ମୂଳକ ତାର ନୀତିରେ ରକ୍ତାକ୍ତ ମୁକାବିଲାର ପରିସ୍ଥିତି ସୃଷ୍ଟି କରାଯାଉଛି। ରାଜଧାନୀର ଶୀତତାପ ନିୟନ୍ତ୍ରିତ ପ୍ରାସାଦ ଭିତରେ ବଣ ମୂଳକର ସରଳ ଆଦିବାସୀଙ୍କୁ ଧ୍ୱଂସ କରିବାର ମନ୍ତ୍ରଣା ଚାଲିଛି।

ନୟାଗଡ଼ ଜିଲ୍ଲାର ୮ଟି ଯାକ ତହସିଲରେ ଏହିଭଳି ଭାବେ ବଢ଼ାଯାଇଥିବା ହଜାର ହଜାର ଏକର କାଜୁ ପଦରକୁ ଏହାର ମୂଳ ମାଲିକ ଓ ପରିପାଳକ ସରଳ ଆଦିବାସୀମାନଙ୍କୁ ଅନ୍ଧାରରେ ରଖି କାଜୁ କର୍ପୋରେସନ ମାଫିଆମାନଙ୍କ ହାତରେ ନିଲାମ କାଗଜ ଧରାଇ ଦେଉଛି। ସେମାନେ ବୋମା, ବନ୍ଧୁକ, ଭୁଜାଲୀ ଓ କଟାରୀର ଆଟୋପରେ ପ୍ରଜାମାନଙ୍କୁ ଭୟଭୀତ କରାଇ ଜବରଦସ୍ତ ଫଳଭୋଗ କରୁଛନ୍ତି। ଏହା ଜଘନ୍ୟ ଦମନ ମୂଳକ ସ୍ବେଚ୍ଛାଚାର ଓ ଏହି ପ୍ରକ୍ରିୟା ତୁରନ୍ତ ବନ୍ଦ ହେବା ଦରକାର ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। ନଗଦ ଭାବେ ନୂଆଗାଁ ଓ ଓଡ଼ଗାଁ ବ୍ଳକର ଆଦିବାସୀ ମାଳରେ କାଜୁ ନିଗମ ଏହାର ଧରାବନ୍ଧା ବାହୁବଳୀ ମାଫିଆମାନଙ୍କ ଦ୍ୱାରା କାଜୁ ବଗିଚା ଦଖଲ କରାଉଛି। ଏହା ନିକଟ ଭବିଷ୍ୟତରେ ଏକ ପ୍ରତିରୋଧାତ୍ମକ ଆଦିବାସୀ ବିଦ୍ରୋହର ସୂତ୍ରପାତ କରିବ ଓ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କାଜୁ ନିଗମ ବିଭିନ୍ନ ବ୍ଲକରେ ସମସ୍ତଙ୍କ ଗୋଚରରେ ଜଗାରଖା ଓ ଫଳଭୋଗର ଅଧିକାର ସମ୍ପୃକ୍ତ ଆଦିବାସୀ ପ୍ରଜାଙ୍କୁ ପ୍ରଦାନ କରିବା ସହିତ ନିଜକୁ କୋଚ୍ଚଟ ଲାଭଖୋର ବେପାରୀ ଭୂମିକାରୁ ଓହରିଯାଇ ପ୍ରଜା ସ୍ୱାର୍ଥ ଭିତ୍ତିକ ସେବା ପ୍ରଦାନକାରୀ ନିଗମରେ ପରିଣତ ହେବାପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

Related posts